ଏଇ ଭାରତରେ

ସିଙ୍ଗଲ ୟୁଜ୍‌ଡ ବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ପରିବେଶ ପ୍ରଦୂଷଣର ଏକ ବଡ଼ କାରଣ ପାଲଟିଛି। ଏହି ସମସ୍ୟାର ସମାଧାନ ଲାଗି ଦେଶରେ ଅନେକ ବ୍ୟକ୍ତି ବିକଳ୍ପ ଉତ୍ପାଦ ତିଆରି କରୁଛନ୍ତି। କିଏ ପରିବେଶ ଉପଯୋଗୀ କପ୍‌, ଚାମଚ ଓ ପ୍ଲେଟ୍‌ ତିଆରି କରଛନ୍ତି ତ ଆଉ କିଏ ଗୁଆ ଖୋଳପାରୁ କଟେଲରି ପ୍ରସ୍ତୁତ କରୁଛନ୍ତି। କିନ୍ତୁ ତାମିଲନାଡୁ ମଦୁରାଇର ଦମ୍ପତି କ୍ରିଷ୍ଣା ସୁବ୍ରମଣ୍ୟନ ଓ ଗୌରୀ ଗୋପୀନାଥ କପା ଓ ଝୋଟରୁ ପରିବେଶ ଉପଯୋଗୀ ବ୍ୟାଗ ତିଆରି କରୁଛନ୍ତି । ଏହି ବ୍ୟାଗ ପଲିଥିନ ବ୍ୟବହାର କମାଇ ପାରିବ ବୋଲି କହନ୍ତି କ୍ରିଷ୍ଣା। ସେମାନେ ତାମିଲନାଡୁ ପରମ୍ପରା ସହ ଜଡ଼ିତ ମାଞ୍ଜାପାଇ ବ୍ୟାଗ (ହଳଦିଆ ରଙ୍ଗର କପଡ଼ା ବ୍ୟାଗ) ତିଆରି କରୁଛନ୍ତି ଯାହାର ଆଦର ଏବେ କାହିଁରେ କ’ଣ। ଏମାନେ ଏଥିରୁ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରୁଛନ୍ତି। ଏଯାବତ ଏହି ଦମ୍ପତି ୧୦ ଲକ୍ଷରୁ ଅଧିକ ବ୍ୟାଗ ତିଆରି କରିସାରିଲେଣି। ଦିନକୁ ୨,୦୦୦ରୁ ୩,୦୦୦ ବ୍ୟାଗ ତିଆରି କରାଯାଉଛି। ଏହି କାର୍ଯ୍ୟରେ ଶତାଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ବ୍ୟାଗର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ କରି ୨୦୦ଟଙ୍କା ପର୍ଯ୍ୟନ୍ତ ରହିଛି। କ୍ରିଷ୍ଣା ଚେନ୍ନାଇ ଓ ଗୌରୀ ବେଙ୍ଗାଲୁରୁରେ କାମ କରୁଥିଲେ। ସେମାନେ ୨୦୧୯ରେ ଚାକିରି ଛାଡ଼ି ଏହି କାର୍ଯ୍ୟରେ ମନୋନିବେଶ କରିଥିଲେ।