ଏଇ ଭାରତରେ

ଭାରତରେ ୩୭୭ ମିଲିୟନ ଲୋକ ସହରାଞ୍ଚଳରେ ରହୁଛନ୍ତି ଓ ବର୍ଷକୁ ୬୦ ମିଲିୟନ ଟନ୍‌ କଠିନ ବର୍ଜ୍ୟ ବାହାରୁଛି। ସେଥିରୁ ପ୍ରାୟ ୩୧ ମିଲିୟନ ଟନ୍‌ ବର୍ଜ୍ୟ ଏଣେତେଣେ ଗଦା ହେଉଛି। ମୁମ୍ବାଇରେ ଏଭଳି ବର୍ଜ୍ୟ ସମସ୍ୟା ବି ଭୟଙ୍କର ଓ ଏହା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହେଉଛି। ଏଣୁ ଏହି ବର୍ଜ୍ୟର ପୁନଃ ବିନିଯୋଗ କରି ଏକ ସୁସ୍ଥ ପରିବେଶ ଯୋଗାଇ ଦେବା ସହ ଲୋକମାନଙ୍କୁ ସଶକ୍ତ କରିବାରେ ରିତ୍‌ଭିକ ରାଓଙ୍କ ଉଦ୍ୟମ ପ୍ରଶଂସନୀୟ। ସେ ମୁମ୍ବାଇର ବର୍ଜ୍ୟ ପରିଚାଳନା ପାଇଁ ସୋସିଆଲ ଏଣ୍ଟରପ୍ରାଇଜ ‘ସମ୍ପୂର୍ଣ୍ଣାଥ’ ଗଢ଼ିଛନ୍ତି ଓ ତା’ମାଧ୍ୟମରେ ଏବେ ସୁଦ୍ଧା ୬୦,୦୦୦ ଟନ୍‌ ଖାଦ୍ୟ ବର୍ଜ୍ୟକୁ ପ୍ରୋସେସିଂ କରିସାରିଛନ୍ତି। ୨୦୧୨ରେ ମୁମ୍ବାଇରେ ‘ସମ୍ପୂର୍ଣ୍ଣାଥ’ ଗଠନ କରିବାରେ ରିତ୍‌ଭିକଙ୍କୁ ତାଙ୍କର ଦୁଇଜଣ ସାଙ୍ଗ ସହଯୋଗ କରିଥିଲେ। ବର୍ଜ୍ୟ ଡିସ୍‌ପୋଜାଲ ଏବଂ ରିସାଇକ୍ଲିଂ କରିବା ସହ ବର୍ଜ୍ୟ ନିର୍ଗମନକୁ ସମ୍ପୂର୍ଣ୍ଣ କମ୍‌ କରିବା ତାଙ୍କ ଲକ୍ଷ୍ୟ ବୋଲି କହନ୍ତି ୩୧ ବର୍ଷୀୟ ରିତ୍‌ଭିକ। ଏହି ଅଭିଯାନରେ ଗତ ୮ ବର୍ଷ ମଧ୍ୟରେ ସେ ୫୦୦ ବର୍ଜ୍ୟ ସଂଗ୍ରହକାରୀଙ୍କୁ ସାମିଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ବି ସେ ବିଘଟନଯୋଗ୍ୟ ଏବଂ ବିଘଟନ ଅଯୋଗ୍ୟ ବର୍ଜ୍ୟ ପରିଚାଳନା ଉପରେ ପ୍ରଶିକ୍ଷଣ ଦେଇଛନ୍ତି। ଏହି ସଂସ୍ଥା କେତେକ ଘରୋଇ ସଂସ୍ଥା, କର୍ପୋରେଟ, ଶିକ୍ଷାନୁଷ୍ଠାନ ଏବଂ ମ୍ୟୁନିସିପାଲିଟି କର୍ପୋରେଶନ ସହଯୋଗରେ କାର୍ଯ୍ୟ କରୁଛି।