ଏଇ ଭାରତରେ

‘ବୁକ୍‌ ହୋଟେଲ’ କଥା କେବେ ଶୁଣିଛନ୍ତି କି ? ଏଭଳି ଏକ ଅଜବ ହୋଟେଲ ଖୋଲିଛନ୍ତି ନାସିକର ଭୀମାବାଈ ଜୋନ୍ଧାଲେ। ସେଠାରେ ଖାଇବା ସହ ବହି ପଢ଼ିପାରିବେ। ଭୀମାବାଈ ତାଙ୍କ ବୁକ୍‌ ହୋଟେଲରେ ୫୦୦୦ରୁ ଅଧିକ ବହି ରଖିଛନ୍ତି। ଏହାର ନାମ ଦେଇଛନ୍ତି ‘ଅଜ୍ଜିଛାୟା ପୁସ୍ତକାଞ୍ଚ ହୋଟେଲ’(ବହି ସହିତ ବୁଢୀମା’ଙ୍କ ହୋଟେଲ)। ଭୀମାବାଈଙ୍କ ବୟସ ୭୫। ଏହି ବୟସରେ ପ୍ରତିଦିନ ହୋଟେଲରେ ରହି ଅନ୍ୟମାନଙ୍କୁ ସୁସ୍ବାଦ୍ୟ ଖାଦ୍ୟ ପରଷିବା ସହ ବହି ପଢ଼ିବାରେ ସାହାଯ୍ୟ କରୁଛନ୍ତି। ଏଥିରେ ତାଙ୍କ ଭଉଣୀ ବି ସହଯୋଗ କରୁଛନ୍ତି। ସେ ଲୋକମାନଙ୍କୁ ମାଗଣାରେ ବହି ପଢିବାକୁ ଦେଉଛନ୍ତି। କେବଳ ଏତିକି ନୁହେଁ ହୋଟେଲରେ ବାସନ ମାଜିବା, ଖାଦ୍ୟ ପ୍ରସ୍ତୁତ କରିବା, ଚା’ କରିବା ଆଦି କାର୍ଯ୍ୟ କରୁଛନ୍ତି। ଖାଇବା ଓ ବହି ପଢିବାରେ ଲୋକେ ମଜ୍ଜି ରହିଥିବା ବେଳେ ଅଧିକ ଆନନ୍ଦ ପାଆନ୍ତି ବୋଲି କୁହନ୍ତି ଭୀମାବାଈ। ଭୀମାବାଈଙ୍କ ପିଲାଦିନ କଷ୍ଟରେ କଟିଥିଲା। ସେ ପଢିବାକୁ ସୁଯୋଗ ପାଇ ନ ଥିଲେ। ସେଥିପାଇଁ ସେ ବହି ପଢିବାର ଏଭଳି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ହୋଟେଲ ୨୦୧୦ରେ ଆରମ୍ଭ କରିଥିଲେ ଓ ସେବେଠାରୁ ତାହା ଚାଲିଛି। ସେଠାରେ ମରାଠି, ହିନ୍ଦୀ ଓ ଇଂଲିଶ ବହିସବୁ ରହିଛି। ପ୍ରଥମେ ସେ ୨୫ଟି ବହି ନେଇ ଏହି ହୋଟେଲ ଆରମ୍ଭ କରିଥିଲେ।