ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ ଗାଁରେ। ସେଠାରେ ଦୁଇ କଲେଜ ବନ୍ଧୁ ଇନ୍ଦ୍ର ରଜତ ଜାଠ ଓ ସୀମା ସାଇନି ଖୋରା ଶ୍ୟାମଦସାସ ଗାଁରେ ୧.୫ ଏକର ଜମି କିଣି ସେଠାରେ ସମନ୍ବିତ ଚାଷ କରିବା ସହ କୃଷିଭିତ୍ତିକ ପର୍ଯ୍ୟଟନ ବିକାଶ କରିପାରିଛନ୍ତି। ସେଠାରେ ସେମାନେ ଚାଷ ସହିତ ପ୍ରାଣୀପାଳନ କରୁଛନ୍ତି। କେବଳ ଏତିକି ନୁହେଁ, ଏହି ଦୁଇ ବନ୍ଧୁ ମଧ୍ୟ ଫାର୍ମରେ ମାଟିଘର କରି ସେଠାରେ ଅତିଥିମାନଙ୍କ ରହିବାର ବ୍ୟବସ୍ଥା କରିଛନ୍ତି। ସେମାନେ ଏବେ ସୁଦ୍ଧା ୧୦୦୦ରୁ ଅଧିକ କୃଷକଙ୍କୁ ଜୈବିକ ଓ ସମନ୍ବିତ ଚାଷ ବିଷୟରେ ପ୍ରଶିକ୍ଷଣ ଦେବା ସହ କୃଷିଭିତ୍ତିକ ପର୍ଯ୍ୟଟନର ବିକାଶ ପାଇଁ ଉତ୍ସାହିତ କରୁଛନ୍ତି। ଏହି ଫାର୍ମରେ ବାଜରା, ବାର୍ଲି, ଗହମ ସହିତ ବିଭିନ୍ନ ପ୍ରକାର ପନିପରିବା ଓ ଫଳ ଚାଷ କରାଯାଉଛି। ଗୋଟିଏ ମାସରେ ପ୍ରାୟ ୨୦ ପରିବାର ସେହି ଫାର୍ମକୁ ବୁଲିଆସି ସେଠାରେ ମାଟିଘରେ ରହୁଛନ୍ତି। ଘରଗୁଡ଼ିକୁ ସ୍ଥାନୀୟ ଲୋକକଳାରେ ସଜାଯାଇଛି।