ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ ପିଲାମାନେ ନିଜକୁ କେବେ ମାତାପିତାଙ୍କ ସହ ତୁଳନା କରିବା ଦେଖିଛନ୍ତି! ହେଲେ ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ପରୀକ୍ଷାରେ ଭଲ ନମ୍ବର ଆଣିବା ପାଇଁ ବାରମ୍ବାର ଚେତାଇବା ସହ ଅଧିକ ସମୟ ପଢିବା ପାଇଁ କହୁଥିଲେ। ତେବେ ପିତାଙ୍କର ଚେତାବନୀ ପୁଅ ଉପରେ ଏଭଳି ପ୍ରଭାବ ପକାଇଲା ଯେ, ନିଜେ ଅଧିକ ପଢିବ କ’ଣ ବାପାଙ୍କ ରେଜଲ୍ଟ ଖୋଜିବାରେ ଲାଗିପଡ଼ିଥିଲା। ଶେଷରେ ପିଲାଟି ବାପାଙ୍କ ମାଟ୍ରିକ ପରୀକ୍ଷାର ମାର୍କଲିଷ୍ଟ ପାଇବାକୁ ସକ୍ଷମ ହୋଇଥିଲା। ବାସ୍‌ ତା’ପରେ ସେ ବାପାଙ୍କୁ ଉତ୍ତର ଦେବାପାଇଁ ରାସ୍ତା ପାଇଗଲା। ଏବେ ସେ ବାପାଙ୍କ ମାର୍କଲିଷ୍ଟକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରି ସମସ୍ତଙ୍କୁ ଦେଖାଇବାକୁ ଚାହିଁଛନ୍ତି ଯେ ପ୍ରକୃତରେ ତାଙ୍କ ବାପା ଅଧିକାଂଶ ବିଷୟରେ ଫେଲ୍‌ ହୋଇଛନ୍ତି। କିନ୍ତୁ ଅଧିକ ନମ୍ବର ରଖିବା ପାଇଁ ତାଙ୍କ ଉପରେ ବାରମ୍ବାର ଚାପ ପକାଉଛନ୍ତି। ଉତ୍ତରପ୍ରଦେଶରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇ ଲୋକଙ୍କୁ ଚର୍ଚ୍ଚାର ଖୋରାଗ ଯୋଗାଇଛି।