ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫ ଜଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ସେ ୧୦୫ ଜଣ ପିଲାଙ୍କୁ ପଢ଼ାଉଛନ୍ତି। ସିଂ ୯ ବର୍ଷ ହେଲା ଏହି କାର୍ଯ୍ୟ କରି ଆସୁଛନ୍ତି। ଦିଲ୍ଲୀ ଲାଲକିଲା ପରିସରରେ ‘ଥାନ ସିଂ କି ପାଠଶାଳା’ ନାମକ ସ୍କୁଲରେ ସେ ପିଲାମାନଙ୍କୁ ପଢ଼ାଉଛନ୍ତି। ୨୦୧୫ରେ ଥାନ୍‌ ଲାଲକିଲା ନିକଟରେ ଥିବା ରାସ୍ତାରେ ବୋତଲ ବିକୁଥିବା ଓ ଜରି ଗୋଟାଉଥିବା ପିଲାମାନଙ୍କୁ ଦେଖି ସେମାନଙ୍କୁ ଶିକ୍ଷାର ମୁଖ୍ୟଧାରାକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ସେମାନଙ୍କୁ ପଢାଇବା ଲାଗି ସେମାନଙ୍କ ମାତାପିତାଙ୍କ ପାଖରେ ସମ୍ବଳ ନ ଥିଲା। ସେହି ପିଲାମାନେ ମଧ୍ୟ ଗୁଟ୍‌ଖା ଖାଉଥିଲେ। ତେବେ ସେମାନଙ୍କୁ ପଢ଼ାଇବା ଆରମ୍ଭ କରିବା ପରେ ଏହି ସବୁ ଅଭ୍ୟାସ ଦୂର ହେବା ସହ ସେମାନେ ନିୟମିତ ସ୍କୁଲକୁ ଆସୁଛନ୍ତି। ସେମାନଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ହୋଇଛି ବୋଲି କହନ୍ତି କନଷ୍ଟେବଲ ସିଂ।