ଏଇ ଭାରତରେ

ଗୁଜରାଟ ଭଦୋଦରାର ଶିକ୍ଷୟିତ୍ରୀ ଜୁନିନ୍‌ ଦତ୍ତ ତାଙ୍କ ଚାକିରି ସମୟରେ ସେଥିରୁ ସମୟ ବାହାରକରି ସମାଜସେବା କରୁଥିଲେ। ଥରେ ସେ ଡ୍ୟୁଟିରୁ ଫେରିବା ବେଳେ ଏକ ଛକରେ ପିଲାଟିଏ ଭିକ ମାଗୁଥିବା ଦେଖିବା ପରେ ସେଭଳି ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ କେତେଜଣ ଅସହାୟ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରେ ସେ ୨୦୧୪ରେ ଚାକିରି ଛାଡ଼ି ପାଠଶାଳା ସଂସ୍ଥା ଗଢ଼ି ରାସ୍ତାକଡ଼ରେ ଯାଯାବର ଜୀବନ ବିତାଉଥିବା ଲୋକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ଏହା ବ୍ୟତୀତ ଅସହାୟ ପିଲାମାନଙ୍କୁ ସେ ସବୁ ପ୍ରକାର ସହଯୋଗ ମଧ୍ୟ କରୁଛନ୍ତି। ଏହି ଅଭିଯାନ ମାତ୍ର ୨୦୦୦ ଟଙ୍କାରୁ ଆରମ୍ଭ କରିଥିଲେ। ପାଠଶାଳାରେ ପିଲାମାନେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପଢୁଛନ୍ତି। ଏବେ ପାଠଶାଳା ହଷ୍ଟେଲରେ ୯୭ ପିଲା ରହିଛନ୍ତି। ସେଠାରେ ସ୍ବତନ୍ତ୍ର ମଡେଲରେ ପଢ଼ାଯାଉଛି। ପୁସ୍ତକ ଶିକ୍ଷା ସହ ବ୍ୟବହାରିକ ଜ୍ଞାନ ବିକାଶ ପାଇଁ ପାଠଶାଳାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।