ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ ମନରେ ପ୍ରବଳ ଲୋଭ। ଏହି କାରଣରୁ ତ ବିଭିନ୍ନ ସ୍ଥାନରେ ଲୁଟେରାମାନେ ସୁନାଗହଣା ଲୁଟ କରିବାର ନୂଆ ନୂଆ କୌଶଳ ଆପଣାଇବାରେ ଲାଗିଛନ୍ତି। କିନ୍ତୁ ଏମିତି ଏକ ସମୟରେ ଜଣେ ଭିନ୍ନ ମଣିଷର ଉଦାହରଣ ପାଲଟିଛନ୍ତି ମୁମ୍ବାଇର ସଫେଇ କର୍ମଚାରୀ ସୁନୀଲ କୁମ୍ଭାର। ରାସ୍ତା ସଫା କରିବା ସମୟରେ ସେ ୧୫୦ ଗ୍ରାମ୍‌ର ସୁନା ପାଇଥିଲେ ବି ତାକୁ ନେଇ ପୋଲିସ ଜିମା ଦେଇଛନ୍ତି। ମୁମ୍ବାଇର କେନେଡି ପୁଲ୍‌ ନିକଟରେ ରାସ୍ତା ସଫା କରିବା ସମୟରେ ସେ ଏହି ସୁନା ପାଇଥିଲେ। ଏତେଗୁଡିଏ ସୁନା ଦେଖି ସୁନୀଲ ଆଦୌ ଲୋଭ କରି ନ ଥିଲେ। ପ୍ରଥମେ ସେ ସୁନା ତକ ନେଇ ନିଜ ସୁପରଭାଇଜରଙ୍କୁ ଦେଖାଇଥିଲେ। ଏହାପରେ ଉଭୟେ ଏହି ସୁନାକୁ ନେଇ ପୋଲିସ ଜିମା ଦେଇଥିଲେ। ସୁନୀଲଙ୍କର ଏହି ମହାନତା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଜଣେ ଗ୍ରୁପ ଡି କର୍ମଚାରୀ ହୋଇଥିଲେ ବି ଲୋଭଶୂନ୍ୟ ହୋଇ ସେ ମାନବିକତାର ପରିଚୟ ଦେଇଛନ୍ତି। ତାଙ୍କର ଏଭଳି ମହାନତା ପାଇଁ ତାଙ୍କୁ ମୁମ୍ବାଇ ନଗର ନିଗମ ପକ୍ଷରୁ ପୁରସ୍କୃତ ବି କରାଯାଇଛି।