ଏଇ ଭାରତରେ

ଭାରତରେ ଥିବା ସ୍କୁଲଗୁଡ଼ିକରେ ସ୍ପିଚ୍‌ ଥେରାପୀ, ଓରାଲିଜମ ଏବଂ ଲିପ୍‌-ରିଡିଂ ଦ୍ୱାରା ବଧିରମାନଙ୍କୁ ଶିକ୍ଷା ଦିଆଯାଉଥିଲେ ମଧ୍ୟ ଶିକ୍ଷାକ୍ଷେତ୍ର ଓ ଏମାନଙ୍କ ମଧ୍ୟରେ ଏକ ବଡ଼ ଦୂରତା ରହିଯାଉଛି। ଏମାନଙ୍କ ଉପରେ ପାଠ୍ୟପୁସ୍ତକ ବୋଝ ବି ରହିଛି। ଏଣୁ ଜାନଭୀ ଜୋଷୀ ଓ ନୂପୁର କିର୍ଲୋସ୍କର ଏକ ଟେକ୍‌ନୋଲୋଜି ବିକାଶ କରି ଏମାନଙ୍କୁ ଶିକ୍ଷାଦାନରେ ସାହାଯ୍ୟ କରି ଆସୁଛନ୍ତି। ସେମାନେ ବ୍ଲିଟେକ୍‌ ଇନୋଭେଶନ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ବ୍ଲିଟିଭି, ଯାହା ଏକ ଫ୍ରି ଆଣ୍ଡ୍ରଏଡ ଆପ୍‌ ଏବଂ ଓ୍ବେବ୍‌ ପୋର୍ଟାଲ, ଯେଉଁଥିରେ ରହିଛି ଇଣ୍ଡିଆନ୍‌ ସାଇନ ଲାଙ୍ଗୁଏଜ୍‌ ଏବଂ ବ୍ଲିଟିଭି ଲାଇବ୍ରେରୀ ମାଧ୍ୟମରେ ବଧିରମାନଙ୍କ ଶିକ୍ଷାର ବ୍ୟବସ୍ଥା କରିଛନ୍ତି। ବ୍ଲିଟିଭିରେ ସମ୍ବାଦ, ଆର୍ଥିକ କାରବାର ସମ୍ବନ୍ଧୀୟ ଶିକ୍ଷା, ସାମ୍ପ୍ରତିକ ଘଟଣାବଳୀ, ଗଳ୍ପ, ବିଜ୍ଞାନ, ଇଂରାଜୀ ଓ ସ୍ବାବଲମ୍ବୀ ହେବାର କୌଶଳ ଆଦିକୁ ନେଇ ଭିଡିଓ ରହିଛି। ଏହି ଦୁଇ ବାନ୍ଧବୀ ରହୁଛନ୍ତି ପୁଣେରେ। ଏମାନେ ପୁଣେ ଏମ୍‌ଆଇଟିରେ ପ୍ରଡକ୍ଟ ଡିଜାଇନ୍‌ରେ ଶିକ୍ଷାଲାଭ କରିବା ସମୟରେ ୨୦୧୫ରେ ବ୍ଲିଟେକ୍‌ ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ। ମ୍ୟୁଜିକ ଭାଇବ୍ରେଶନ ମାଧ୍ୟମରେ ବଧିରମାନଙ୍କୁ ଶୁଣିବା ଲାଗି ସେମାନେ ଏକ ସ୍ମାର୍ଟ ଓ୍ବାଚ୍‌ ଡିଜାଇନ କରୁଥିବା ସମୟରେ ଉକ୍ତ ଟେକ୍‌ନୋଲୋଜି ବିକାଶ କରିଥିଲେ। ଏବେ ସୁଦ୍ଧା ଏହି ବ୍ଲିଟେକ୍‌ରେ ୧୨,୦୦୦ ବଧିର ସାମିଲ ହୋଇ ସାରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ୧୨୦୦ ଶିଶୁ। ଏହି ଟେକ୍‌ନୋଲୋଜିରେ ଶିକ୍ଷା ଦେବା ଲାଗି ଜାନଭୀ ଓ ନୂପୁର ୧୦୦ ଜଣ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଇସାରିଛନ୍ତି।