ଏଇ ଭାରତରେ

ମୋବାଇଲ୍‌ ରିଚାର୍ଜ ନ ହେଲେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ବି ଭାଙ୍ଗି ଯାଇପାରେ! ଏମିତି ଏକ କଥା କେବେ ଶୁଣିଛନ୍ତି! ବିଶ୍ୱାସ ହେଉ ନ ଥିଲେ ବି ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ। ଏଠାରେ ତାଜଗଞ୍ଜ ଥାନା ଅଞ୍ଚଳରେ ମୋବାଇଲ୍‌ ରିଚାର୍ଜ ନ ହେବା ଘଟଣାକୁ ନେଇ ଏକ ଦମ୍ପତ୍ତି ରଗାରୁଷା ହୋଇ ଔପଚାରିକଭାବେ ଅଲଗା ବି ହୋଇଛନ୍ତି। ମାମଲାଟି ଏବେ ପରିବାର ଅଦାଲତରେ ପହଞ୍ଚିବା ପରେ ଚର୍ଚ୍ଚାର କାରଣ ପାଲଟିଛି। ମହିଳାଜଣକ ଫୋନ୍‌ ରିଚାର୍ଜ କରିବା ପାଇଁ ତାଙ୍କ ସ୍ବାମୀଙ୍କୁ କହିଥିଲେ। ମାତ୍ର କୌଣସି କାରଣରୁ ତାଙ୍କ ସ୍ବାମୀ ଫୋନ୍‌ ରିଚାର୍ଜ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଥିଲେ। ଏହି କଥାକୁ ନେଇ ପରସ୍ପର ମଧ୍ୟରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ। କଥା ଏପରି ହୋଇଥିଲା କି ପରସ୍ପର ଝଗଡା କରି ସେମାନେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଗଲେ। ଏମିତି ଏକ ଛୋଟିଆ କାରଣରୁ ସାତ ଜନ୍ମର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ବିଶ୍ୱାସ ଓ ତ୍ୟାଗର ସମ୍ପର୍କକୁ ଭୁଲି ମହିଳାଜଣକ ସ୍ବାମୀଙ୍କ ଉପରେ ରାଗିଯାଇ ଘରଛାଡି ତାଙ୍କ ବାପଘରକୁ ଚାଲି ଯାଇଥିଲେ। ଏହାପରେ ତାଙ୍କ ନାମରେ ଥାନାରେ ଅଭିଯୋଗ ବି କରିଥିଲେ। ଘଟଣାଟି ପରିବାର ଅଦାଲତରେ ବିଚାରାଧୀନ ରହିଛି, କିନ୍ତୁ ମହିଳାଜଣକ କାଉନସିଲରଙ୍କ କୌଣସି ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉ ନାହାନ୍ତି। ତେଣୁ ଲୋକଙ୍କ ଜୀବନରେ ଏବେ ମୋବାଇଲ୍‌ ବ୍ୟବହାର କେତେ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ଏହି ଘଟଣାରୁ ନିଶ୍ଚୟ ବୁଝା ପଡୁଥିବ। ଖାଲି ସେତିକି ନୁହେଁ ପତ୍ନୀଙ୍କ ମୋବାଇଲ୍‌ ଠିକ୍‌ ସମୟରେ ରିଚାର୍ଜ କରିବା ଯେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ ଏକଥା ବି ଅନେକେ ହୃଦୟଙ୍ଗମ କରିପାରୁଥିବେ!