ଏଇ ଭାରତରେ

ନିଜେ ଓ ନିଜର ପରିବାରକୁ ଅସହାୟ ବୃଦ୍ଧାବୃଦ୍ଧଙ୍କ ସେବାରେ ଯୋଡ଼ି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ଦିସାର ଆଶାବେନ ରାଜପୁରୋହିତ। ୩୦ ବର୍ଷୀୟା ଆଶା ଏବେ ୨୨ ଜଣ ବୃଦ୍ଧାବୃଦ୍ଧଙ୍କ ସେବା କରୁଛନ୍ତି। ଆଶା ଆଶ୍ରୟସ୍ଥଳୀର ନାମ ଦେଇଛନ୍ତି ‘ସୁଦାମା ବୃଦ୍ଧାଶ୍ରମ’। ଏହି ବୃଦ୍ଧାଶ୍ରମ ତାଙ୍କ ପିତା କାନ୍ତିଲାଲ ରାଜପୁରୋହିତ ୧୨ ବର୍ଷ ପୂର୍ବେ ଆରମ୍ଭ କରିଥିଲେ । କାନ୍ତିଲାଲଙ୍କ ଦେହାନ୍ତ ପୂର୍ବରୁ ସେ ଆଶ୍ରମର ଦାୟିତ୍ୱ ଝିଅ ଆଶାଙ୍କୁ ଦେଇଥିଲେ। ପିତାଙ୍କ କଥା ରଖି ଆଶା ଏହି କାମ କରୁଛନ୍ତି। ବୃଦ୍ଧାବୃଦ୍ଧଙ୍କ ସେବା କରିବା ଲାଗି ସେ ଗୃହସ୍ଥ ଜୀବନ ଛାଡ଼ି ଆଶ୍ରମରେ ରହୁଛନ୍ତି। ଏପରିକି ଆଶା ତାଙ୍କ ପୁଅକୁ ବି ନିଜଠାରୁ ଦୂରରେ ରଖିଛନ୍ତି। ପ୍ରଥମେ ଏହି ଆଶ୍ରମରେ ୧୦ରୁ ୧୪ ଜଣ ବୃଦ୍ଧ ରହୁଥିଲେ। ବୃଦ୍ଧାଶ୍ରମ ଲୋକଙ୍କ ସାହାଯ୍ୟରେ ଚାଲୁଛି। ଆଶ୍ରମରେ ଅର୍ଥାଭାବ ଥିବାରୁ ଆଶା ନିଜେ ରୋଷେଇଠାରୁ ଆରମ୍ଭକରି ଘର ସଫା କରିବା ଓ ବୃଦ୍ଧାବୃଦ୍ଧମାନଙ୍କୁ ଔଷଧ ସେବନ କରାଉଛନ୍ତି। ସେ ୪ ବର୍ଷ ହେଲା ଆଶ୍ରମରେ ରହୁଛନ୍ତି। ତାଙ୍କୁ ସେହି ଜାଗା ଏତେ ଭଲ ଲାଗୁଛି ଓ ତାଙ୍କ ମା’ ତାଙ୍କୁ ଏଭଳି ସେବା କରିବାକୁ ଜନ୍ମ ଦେଇଛନ୍ତି ବୋଲି କହନ୍ତି ଆଶା।