ଏଇ ଭାରତରେ

ଅସହାୟ ଓ ଗରିବଙ୍କ ପାଇଁ ଏକ ସମର୍ପିତ ଜୀବନ ଜିଉଛନ୍ତି ଶିମ୍‌ଲାର ସରବ୍‌ଜିତ ସିଂ। ସେ ରୋଗୀ ଓ ଅସହାୟଙ୍କ ସାହାରା ପାଲଟି ଅନ୍ୟମାନଙ୍କ ପାଇଁ ମିଶାଲ କାଏମ କରିଛନ୍ତି। ସରବ୍‌ଜିତ ଶବବାହକ ସାଜି ମୃତ ବ୍ୟକ୍ତିଙ୍କୁ ଶ୍ମଶାନକୁ ବିନା ଦେୟରେ ନିଜସ୍ବ ଖର୍ଚ୍ଚରେ ତାଙ୍କ ଗାଡ଼ିରେ ନେଇ ଯଥାରୀତି ସତ୍କାର କରୁଛନ୍ତି। ଏହାଛଡ଼ା ଗରିବ ରୋଗୀଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଉଛନ୍ତି। ଏତଦ୍‌ବ୍ୟତୀତ ସେ ରୋଗୀ ଓ ଭୋକିଲାମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ନିଜ ଖର୍ଚ୍ଚରେ ମେଡିକାଲ ସହଯୋଗରେ ବ୍ଲଡ୍‌କ୍ୟାମ୍ପର ଆୟୋଜନ ମଧ୍ୟ କରୁଛନ୍ତି। ତାଙ୍କର ଶିମ୍‌ଲାରେ ଏକ ଛୋଟ ଚପଲ ଦୋକାନ ଅଛି। ସରବ୍‌ଜିତ ସିଂ ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଊର୍ଦ୍ଧ୍ୱ ମୃତଦେହ ଶ୍ମଶାନକୁ ନେଇସାରିଲେଣି। ସେ ‘ଅଲ୍‌ମାଇଟ୍‌ ବ୍ଲେସିଂସ୍‌’ ସଂସ୍ଥା ଗଠନ କରି ସହରର ୪ଟି ସ୍ଥାନରେ କ୍ୟାଣ୍ଟିନ ଖୋଲିଛନ୍ତି। ପୂରା ହିମାଚଳର ବିଭିନ୍ନ ହସ୍ପିଟାଲକୁ ଆସୁଥିବା ରୋଗୀ ଏବଂ ସ୍ବଜନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ତାଙ୍କୁ ଲୋକେ ବବି ନାମରେ ଜାଣନ୍ତି। ସମୟ ଥିଲା, ତାଙ୍କୁ ଲୋକେ ବି ବେଲା (ଜମା କାମ କରୁ ନ ଥିବା ଲୋକ) ଡାକୁଥିଲେ। ତେବେ ବେଲା ହୁଅନ୍ତୁ କି ବବି, କମ୍‌ ଆୟରେ ଏତେସବୁ କାର୍ଯ୍ୟ କରୁଥିବାରୁ ସେ ଶିମ୍‌ଲା କାହିଁକି ପୂରା ରାଜ୍ୟ ଓ ଦେଶରେ ସ୍ବତନ୍ତ୍ର ପରିଚିତି ପାଇପାରିଛନ୍ତି।