ଏଇ ଭାରତରେ

ସୁସ୍ଥ ଶରୀର ଓ ମନ ପାଇଁ ଯୋଗର ଆବଶ୍ୟକତା ରହିଛି। ଏଥିପାଇଁ ଅନେକ ଶାନ୍ତ ପରିବେଶରେ ରହି ଯୋଗ କରନ୍ତି। କେହି କେହି ପ୍ରାକୃତିକ ପରିବେଶରେ କିମ୍ବା ପାର୍କରେ ମଧ୍ୟ ଯୋଗ କରନ୍ତି। ହେଲେ ପାଣି ଭିତରେ ବି ଯୋଗ କରାଯାଇପାରେ! ଏକ କଥା କେବେ ଶୁଣିଛନ୍ତି! ଏହା ଶୁଣି ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ। ମାତ୍ର ଦୀର୍ଘ ୩୨ ବର୍ଷ ହେଲାଣି ଏଭଳିଭାବେ ଯୋଗ କରୁଛନ୍ତି ହରେଶ ଚତୁର୍ବେଦୀ। ଉତ୍ତରପ୍ରଦେଶର ଆଗ୍ରାରେ ରହନ୍ତି ହରେଶ। ଏବେ ତାଙ୍କୁ ବୟସ ୭୦ ବର୍ଷ। ପେସାରେ ଜଣେ ଓକିଲ। ହେଲେ ପ୍ରତିଦିନ ସେ ପାଣି ଭିତରେ ଘଣ୍ଟା ଘଣ୍ଟା ରହି ପ୍ରାଣାୟାମ, ପଦ୍ମାସନ, ବ୍ରହ୍ମାସନ, ତାଡକାସନ, ଗରୁଡାସନ ଆଦି ମୁଦ୍ରାରେ ବସି ରହିପାରନ୍ତି। ତେବେ କୌଣସି ପ୍ରକାରର ରେକର୍ଡ କିମ୍ବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଏପରି ଭିନ୍ନଭାବେ ଯୋଗ କରୁନାହାନ୍ତି। ବରଂ ନିଜକୁ ସୁସ୍ଥ ରଖିବା ପାଇଁ ୩୨ ବର୍ଷ ହେଲାଣି ସେ ଏହିଭଳି ପାଣି ଭିତରେ ଯୋଗାସନ ଆଦି କରୁଛନ୍ତି। ତେବେ ହରିଶ କୁହନ୍ତି, ପାଣି ଭିତରେ ଯୋଗ କରିବା ପାଇଁ ଅଭ୍ୟାସର ଆବଶ୍ୟକତା ରହିଛି। ତେବେ ଥରେ ଅଭ୍ୟାସ କରିପାରିଲେ, ଏହା ଅଧିକ ଫଳପ୍ରଦ ବୋଲି ସେ କହନ୍ତି। ଡାଇବେଟିସ୍‌, ବ୍ଲଡପ୍ରେସର, ଆଣ୍ଠୁଗଣ୍ଠି ଦରଜ ଆଦି ବିଭିନ୍ନ ରୋଗରୁ ଏହି ମାଧ୍ୟମରେ ମୁକ୍ତି ମିଳିପାରେ। ତେଣୁ ଯୁବପିଢ଼ିଙ୍କୁ ଜଳଯୋଗ ଶିକ୍ଷା ଦେଇ ସେ ଏକ ସୁସ୍ଥ ସମାଜ ଗଠନର ଲକ୍ଷ୍ୟ ରଖିଛନ୍ତି।