ଏଇ ଭାରତରେ

ପୂଜା ଶର୍ମାଙ୍କ ବୟସ ୨୮। ସେ କ୍ୟାରିୟର ଚିନ୍ତା ଛାଡ଼ି ଏକ ଭିନ୍ନ ଜୀବନ ଜିଉଛନ୍ତି। ଦିଲ୍ଲୀରେ ଅପରିଚିତ ମୃତଦେହ ଦାହକରି ପୂଜା ମହାନତାର ପରିଚୟ ଦେଉଛନ୍ତି। ଏବେ ସୁଦ୍ଧା ସେ ପ୍ରାୟ ୪,୦୦୦ ମୃତଦେହର ଅନ୍ତିମ ସଂସ୍କାର କରି ସାରିଲେଣି। ଦିନକୁ ହାରାହାରି ୨ରୁ ୧୦ଟି ଶବ ସେ ଦାହ କରୁଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀରେ ୨୦୧୮ରୁ ୨୦୨୨ ମଧ୍ୟରେ ୧୧,୦୦୦ ଅପରିଚିତ ମୃତଦେହ ଉଦ୍ଧାର କରାଯାଇଥିଲା ଓ ସେଥିରୁ ୧,୫୦୦ରୁ ଅଧିକଙ୍କୁ ଚିହ୍ନଟ କରାଯାଇଥିଲା। ଅବଶିଷ୍ଟ ମୃତଦେହଗୁଡ଼ିକୁ ଦାହ କରାଯାଇଥିଲା, ଯେଉଁଥିରେ ପୂଜାଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ ନିଜ ଭାଇଙ୍କର ମୃତ୍ୟୁ ହେବା ପରେ ପୂଜା ମୁଖାଗ୍ନି ଦେବା ସହ ଦାହ ସମୟରେ ଉପସ୍ଥିତ ରହିଥିଲେ। ପୂଜା ଏକ ସରକାରୀ ହସ୍ପିଟାଲରେ ଏଚ୍‌ଆଇଭି କାଉନ୍‌ସିଲର ଭାବେ କାର୍ଯ୍ୟ କରୁଥିଲେ। ତାହାକୁ ଛାଡ଼ି ଏବେ ସେ ଏହି କାର୍ଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ସେ ଚିତାଭଷ୍ମକୁ ହରିଦ୍ୱାରରେ ମଧ୍ୟ ବିସର୍ଜନ କରୁଛନ୍ତି। ଶବଦାହ ଲାଗି ହେଉଥିବା ଖର୍ଚ୍ଚ ପାଇଁ ତାଙ୍କ ଆଈ ମା’ ପେନ୍‌ସନରୁ ଏବଂ ମେଟ୍ରୋ ଚାଳକ ଥିବା ପିତା ତାଙ୍କ ଦରମାରୁ କିଛି ଦେଇଥାଆନ୍ତି। ଏହାବାଦ୍‌ ସେ ଅନ୍ୟମାନଙ୍କଠାରୁ ଅନୁଦାନ ପାଇଥାଆନ୍ତି।