ଏଇ ଭାରତରେ

ବୟସ ଏକ ସଂଖ୍ୟା, ଏହା ପ୍ରମାଣ କରି ଦେଖାଇଛନ୍ତି ସୁରଟର ବକୁଳାବେନ ପଟେଲ। ତାଙ୍କ ବୟସ ଏବେ ୮୦। ସେ ୫୯ ବର୍ଷରେ ସୁଇମିଂ ଶିଖି ୫୦୦ରୁ ଅଧିକ ମେଡାଲ ଓ ଟ୍ରଫି ଜିତିଛନ୍ତି। ସେ ଭାରତ ନାଟ୍ୟମ୍‌ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୭୫ ବର୍ଷ ବୟସରେ ସେ ଅଢ଼େଇ ଘଣ୍ଟା ନୃତ୍ୟ ପ୍ରଦର୍ଶନ କରି ବୁକ୍‌ ଅଫ୍‌ ଲିମ୍‌କା ରେକର୍ଡସରେ ସ୍ଥାନ ପାଇଛନ୍ତି। ଏହି ନୃତ୍ୟ ପ୍ରଦର୍ଶନରେ ସେ ହେଉଛନ୍ତି ବୟୋଜ୍ୟେଷ୍ଠ ମହିଳା। ବକୁଳାବେନ ପିଲାଦିନୁ ମାତାପିତାଙ୍କୁ ହରାଇଥିଲେ। ଏହି କାରଣରୁ ଅଧିକ ପଢ଼ିପାରି ନ ଥିଲେ। ନବମରେ ପଢୁଥିବାବେଳେ ତାଙ୍କର ବିବାହ ହୋଇଯାଇଥିଲା। ତେବେ ପିଲାଦିନରୁ ଖେଳ ପ୍ରତି ରୁଚି ରଖିଥିବା ବକୁଳାବେନ ଗୃହିଣୀ ଜୀବନରେ ତାହାକୁ ସାକାର କରିଛନ୍ତି। ୧୯୯୪ରେ ସ୍ବାମୀଙ୍କ ଦେହାନ୍ତ ପରେ ପିଲାଙ୍କ ଯତ୍ନ ନେବା ସହ ସୁଇମିଂ ଓ ନାଚ ଶିଖିବା ଆରମ୍ଭ କରିଥିଲେ। ଏବେ ୮୦ ବର୍ଷ ବୟସରେ ବକୁଳାବେନ ୮୦ ଦେଶରେ ସୁଇମିଂ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ବଙ୍ଗୋପସାଗରରେ ପହଁରି ପୁରସ୍କୃତ ହୋଇଛନ୍ତି। ସେ ସକାଳ ୪ଟାରୁ ଉଠି ସୁଇମିଂ ପାଇଁ ୫ କି.ମି. ଚାଲି ଚାଲି ଯାଆନ୍ତି।