ଏଇ ଭାରତରେ

ବୋନ୍‌ମ୍ୟାରୋ କ୍ୟାନ୍‌ସରକୁ ହରାଇ ଏକ ନୂତନ ଜୀବନ ଜିଉଛନ୍ତି ବାରାଣସୀର ଶ୍ୟାମ ଶ୍ରୀବାସ୍ତବ। ନୂଆ ଜୀବନରେ ଶିକ୍ଷାଦାନକୁ ବ୍ରତ କରିଛନ୍ତି ଓ ମାଗଣାରେ ଗରିବ, ଅସହାୟ ପିଲାମାନଙ୍କୁ ସେ ପଢ଼ାଉଛନ୍ତି। ଏଥିପାଇଁ ସେ ତିନୋଟି କେନ୍ଦ୍ରରେ ପିଲାମାନଙ୍କୁ ପଢ଼ାଉଛନ୍ତି। ବାରାଣସୀର ଜନସା ଗାଁରେ ୨୦୧୯ରେ ଶ୍ୟାମ ପ୍ରଥମେ ଏହି ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ତାହା ପୁଣି ଗୋଟିଏ ନିମ୍ବ ଗଛମୂଳେ। ପରେ ଏକ ଘରେ ପଢ଼ାଉଛନ୍ତି, ଯାହାର ସ୍ଥିତି ଭଲ ନାହିଁ। ସେଥିପାଇଁ ଗ୍ରାମବାସୀଙ୍କ ସାହାଯ୍ୟ ଲୋଡ଼ି ଘର ତିଆରି ଆରମ୍ଭ କରିଛନ୍ତି। ଶ୍ୟାମଙ୍କ ଜୀବନ ଭଲରେ କଟୁଥିବାବେଳେ ୨୦୧୮ରେ ତାଙ୍କୁ ବୋନ୍‌ମ୍ୟାରୋ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଥିଲା । ୨୦୧୯ରେ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପରେ ସେଥିରୁ ସେ ମୁକ୍ତ ହୋଇ ଗରିବ ପିଲାମାନଙ୍କୁ ପଢ଼ାଇବା ଲାଗି ନିଷ୍ପତ୍ତି ନେଇଥିଲେ ଓ ତାହା ଆରମ୍ଭ କରିଥିଲେ। କେବଳ ଜନସା ଗାଁ ନୁହେଁ, ୨୦୨୦ରେ ରାଜତଲାବ ଗାଁ ଓ ୨୦୨୧ରେ ରବିଦାସ ଘାଟରେ ମଧ୍ୟ ସେ ଶିକ୍ଷା କେନ୍ଦ୍ର ଖୋଲିଥିଲେ। ପ୍ରତି କେନ୍ଦ୍ରରେ ଏବେ ପାଖାପାଖି ୨୦୦ ପିଲା ପଢୁଛନ୍ତି। ପିଲାମାନଙ୍କ ପାଠ୍ୟ ଉପକରଣ ଅଭାବ ବହୁ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ପୂରଣ ହେଉଛି।