ଏଇ ଭାରତରେ

ହିମାଚଳପ୍ରଦେଶର ଆନି ବ୍ଲକର କାମନ୍ଦ ପଞ୍ଚାୟତର ଗାଢ଼ାରୀ ଗାଁରେ ରହନ୍ତି ୭୩ ବର୍ଷ ବୟସ୍କା ଲୁରମା ଦେବୀ। ସେ ବୁଲାପ୍ରାଣୀଙ୍କୁ ଖାଇବାକୁ ଦେଇ ଖୁବ୍‌ ଆନନ୍ଦିତ ହୋଇଥାନ୍ତି। ଲୁରମା ପ୍ରାଣୀଙ୍କ ପାଇଁ ଘାସ ଏବଂ ପାଣିର ବ୍ୟବସ୍ଥା କରିଥାନ୍ତି। ଘାଟି ଉପରେ ଏକ କିଲୋମିଟର ଦୂରରୁ ପିଠିରେ ପାଣି ବୋହି ନେଇ ସେମାନଙ୍କୁ ପିଇବାକୁ ଦିଅନ୍ତି। ଲୁରମା ଦେବୀ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାର ଲାଭ ପାଇ ନାହାନ୍ତି କିମ୍ବା ଏ ବିଷୟରେ ଅବଗତ ନୁହନ୍ତି। ସେ ଘସି ଓ ଖତରୁ ପାଉଥିବା ସ୍ବଳ୍ପ ଟଙ୍କାରେ ଚଳନ୍ତି ଓ ଏଥିରେ ପ୍ରାଣୀଙ୍କ ଚିକିତ୍ସାରେ ଖର୍ଚ୍ଚ କରିଥାନ୍ତି। କେହି କିଛି ଖାଇବାକୁ ଦେଲେ ଲୁରମା ଖାଇଥାନ୍ତି। ଲୁରମା ଦେବୀଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷମୟ। ସ୍ବାମୀ ଚାଲିଯିବା ପରେ ସେ ବୁଲା ପ୍ରାଣୀମାନଙ୍କୁ ରଖିବା ଆରମ୍ଭ କଲେ। ପ୍ରଥମେ ୨୫ ଗାଈ, ଷଣ୍ଡ ଏବଂ ବାଛୁରିଙ୍କୁ ଲୁରମା ଏକ ଗୁମ୍ଫାରେ ରଖିଥିଲେ। ଜଙ୍ଗଲୀ ଜନ୍ତୁ ଲୁରମା ଦେବୀଙ୍କ ୧୪ଟି ପ୍ରାଣୀଙ୍କୁ ଶିକାର କରିଥିଲେ। ବର୍ତ୍ତମାନ ୧୧ଟି ପ୍ରାଣୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଲୁରମା ଦେବୀ କହନ୍ତି, ପିଲାଦିନରୁ ପଶୁମାନଙ୍କ ପ୍ରତି ତାଙ୍କର ଏକ ଭଲପାଇବା ଅଛି। ସେ ମଧ୍ୟ ବାକି ଜୀବନ ସେମାନଙ୍କୁ ପାଳନ କରିବାରେ ବିତାଇବାକୁ ଚାହାନ୍ତି।