ଏଇ ଭାରତରେ

ପାଞ୍ଚ ଦିନର ପ୍ରଶିକ୍ଷଣ ପରେ ସଫଳତା ଆକାଶଛୁଆଁ। ଏକଥା ବିଶ୍ୱାସ କରି ହେଉ ନ ଥିଲେ ବି ସତ। ରାଜସ୍ଥାନର ଗୌରବ ପଚୌରି ମୁକ୍ତା ଚାଷ ସମ୍ପର୍କରେ ୫ ଦିନ ପ୍ରଶିକ୍ଷଣ ନେବା ପରେ ୨୧ ମାସରେ ୫୫ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି। ଗୌରବ ରାଜସ୍ଥାନ ଭରତପୁରରେ ମଧୁରଜଳ ମୁକ୍ତା ଚାଷ କରୁଛନ୍ତି। ସେ ମେକାନିକାଲ ଇଞ୍ଜିନିୟରିଂରେ ଶିକ୍ଷା ଶେଷ କରି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ। ସେଥିରେ ବିଫଳ ହେବା ପରେ ମୁକ୍ତା ଚାଷକୁ ଅପଣାଇଥିଲେ। ୨୦୨୨ରେ ସେ ନିଜ ପରିବାରକୁ ମୁକ୍ତା ଚାଷ କରିବା ସମ୍ପର୍କରେ ଅବଗତ କରିବା ସହ ଏଥିପାଇଁ ଆଗେଇ ଆସିଥିଲେ। ସେ ପ୍ରଥମେ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଯାଇ ଏହି ଚାଷ ଦେଖିଥିଲେ। ପରେ ସେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଫ୍ରେଶଓ୍ବାଟର ଆକ୍ୱାକଲଚର(ସିଆଇଏଫ୍‌ଏ), ଓଡ଼ିଶାରେ ୫ ଦିନିଆ ପ୍ରଶିକ୍ଷଣ ନେଇଥିଲେ। ସେପ୍ଟେମ୍ବର ୨୦୨୨ରେ ସେ ନିଜ ଗାଁ ଭରତପୁରରେ ୧୫୦ଫୁଟରେ ୮୦ ଫୁଟର ଏକ ପୋଖରୀ ନିର୍ମାଣ କରି ଦେଢ ଲକ୍ଷ ଶାମୁକା ସେଥିରେ ଛାଡ଼ିଥିଲେ। ଏଥିରେ ସେ ୨୧ ଲକ୍ଷ ଟଙ୍କା ନିବେଶ କରିଥିଲେ।