ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ ନିର୍ମାଣ କରାଯାଇଛି। ୭୦୦୦ ବର୍ଗଫୁଟର ଏହି ଘରର ନାଁ ବି ରଖାଯାଇଛି ଅଶ୍ୱତ୍ଥ। ଦିଲ୍ଲୀର ଆର୍କିଟେକ୍‌ କମ୍ପାନୀ ଆର୍କିଓପେଟ୍ରିକ୍ସ ଏହାକୁ ନିର୍ମାଣ କରିଛି। ଉକ୍ତ ପରିବେଶ ଉପଯୋଗୀ ଘରେ ପକ୍ଷୀମାନେ ବିନା ବାଧାରେ ଆତଯାତ ହୁଅନ୍ତି। ଏଠାକୁ ଦିନରାତି ଅନେକ ହଜାର ପକ୍ଷୀ ଆସନ୍ତି। ସେଥିପାଇଁ ସେମାନଙ୍କ ଲାଗି ଘର ଛାତ ଉପରେ ବସିବା ଲାଗି ଜାଗା, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯାଇଛି। ‘ଅଶ୍ୱତ୍ଥ’ ପାରମ୍ପରିକ ଟେକ୍‌ନିକରେ ନିର୍ମାଣ କରାଯାଇଛି। ଏହି ଘରେ ବର୍ଷାପାଣି ସଂଗ୍ରହ କରାଯାଇ ଗଚ୍ଛିତ ରଖାଯାଉଛି ଓ ତାହା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଛି। ଏହାକୁ ନିର୍ମାଣ କରାଯିବାରେ କଂକ୍ରିଟ ଷ୍ଟିଲ୍‌ ବଦଳରେ ପଥର ଓ ମାଟି ବ୍ୟବହାର କରାଯାଇଛି। ଏଣୁ ଏଠାରେ ସବୁ ଋତୁରେ ତାପମାତ୍ରା ସନ୍ତୁଳିତ ରହୁଛି। ଘର ବାଲ୍‌କୋନିକୁ ରିସାଇକେଲ ପ୍ଲାଷ୍ଟିକ ଓ କାଠାରେ ନିର୍ମାଣ କରାଯାଇଛି। ଘର ଭିତରକୁ ସୂର୍ଯ୍ୟାଲୋକ ପ୍ରବେଶ ଓ ଉଦ୍ୟାନରେ ଜଳସେଚନ ସିଞ୍ଚନ ବ୍ୟବସ୍ଥା ରହିଛି। ଏହିସବୁ ବ୍ୟବସ୍ଥା ପାଇଁ ପକ୍ଷୀମାନେ ଏହି ଘରେ ରହିବାକୁ ପସନ୍ଦ କରୁଛନ୍ତି।