କାଠରେ ନିଖୁଣ ମୂର୍ତ୍ତି ଖୋଦେଇକରି ବିଶ୍ୱରେ ସୁଖ୍ୟାତି ପାଇଛନ୍ତି କଶ୍ମୀରର ମହମ୍ମଦ ୟୁସୁଫ ମୁରାନ। ଏମିତି କି ତାଙ୍କ ଦ୍ୱାରା ନିର୍ମିତ ଜିନିଷ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି। ବଡ଼ କଥା ହେଉଛି ମୁରାନ ଜଣେ ମୂକ ଓ ବଧିର। ରହୁଛନ୍ତି କେନ୍ଦ୍ରୀୟ କଶ୍ମୀରର ବଡ଼ଗାଁଓରେ। ତାଙ୍କୁ ଏବେ ବୟସ ୫୭। ଏହି କଳା ସେ ପ୍ରଥମେ ପିତା ଓ ପରେ ବଡ଼ଭାଇଙ୍କଠାରୁ ଶିକ୍ଷା କରିଛନ୍ତି। କାଠ ତିଆରି କଶ୍ମୀର ହୁକାର ଦାମ ୮୦,୦୦୦ ଟଙ୍କା ରହିବାବେଳେ ସେଣ୍ଟ ଜର୍ଜ ଅଫ୍ ଲିଡା ତିଆରି କରିବା ଲାଗି ୫ ବର୍ଷ ଲାଗିଛି ଓ ଏହାର ମୂଲ୍ୟ ରହିଛି ୬.୫ ଲକ୍ଷ ଟଙ୍କା। ୨୦୦ ବର୍ଷ ହେଲା ପିଢ଼ି ପରେ ପିଢ଼ି ତାଙ୍କ ପରିବାର ଏହି କାର୍ଯ୍ୟ କରିଆସୁଛନ୍ତି। କିନ୍ତୁ ମୁରାନ ଏହି କଳାକୁ ବର୍ତ୍ତମାନ ଏକ ଭିନ୍ନ ସ୍ତରରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି।