ଏଇ ଭାରତରେ

ଦୃଷ୍ଟିବାଧିତମାନେ ବି ଚାଷ କରିପାରିବେ। ଏହା ସମ୍ଭବ ହୋଇପାରିଛି ଗିରୀଶ ବଡ୍ରାଗୋଣ୍ଡଙ୍କ ଦ୍ୱାରା। ଗିରୀଶଙ୍କ ଘର କର୍ନାଟକର ବିଜାପୁରରେ। ସେ ଚାଷ ମାଧ୍ୟମରେ ଦୃଷ୍ଟିବାଧିତଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ‘ବ୍ଲାଇଣ୍ଡ ଫାର୍ମିଂ ଟେକ୍‌ନୋଲୋଜି’ର ବିକାଶ କରିଛନ୍ତି। ବିଜାପୁରରେ ଗିରୀଶ କୃଷିତରଙ୍ଗ ଫାର୍ମ ଟେକ୍‌ କମ୍ପାନୀ ପ୍ରତିଷ୍ଠା କରି ଇଞ୍ଜିନିୟରିଂ ଛାତ୍ରମାନଙ୍କ ସହଯୋଗରେ ମେଶିନ ତିଆରି କରୁଛନ୍ତିି। ମେଶିନଟି ସୋଲାର ପାଓ୍ବାରରେ ଚାଲୁଛି। ଏଥିରେ ଡିଜିଟାଲ ଷ୍ଟିକ୍‌ ସମେତ ୧୬ଟି ଯନ୍ତ୍ର ଓ ସେନ୍‌ସର ଲାଗିଛିି। ଏହାଦ୍ୱାରା ମାଟିର ଜଳୀୟ ଅଂଶ, ପୋଷକ ସ୍ତର ଓ ତାପମାତ୍ରା ସମ୍ପର୍କିତ ତଥ୍ୟକୁ ଏକ ଅଡିଓ ସିଷ୍ଟମ୍‌ରେ ଘୋଷଣା କରାଯାଇପାରୁଛି। ଏହିି ବ୍ୟବସ୍ଥାରେ ସ୍ବତନ୍ତ୍ର ଭାବେ ଜଳସେଚନ କରିବାକୁ ପଡୁନି। ମାଟିର ଜଳୀୟ ଅଂଶ କମିଗଲେ ଉକ୍ତ ମେଶିନ ପାଣି ମଡ଼ାଇପାରିବ। କୃଷକଙ୍କ ବିନା ଏହା ସ୍ବୟଂଚାଳିତ ଭାବେ କାର୍ଯ୍ୟ କରିପାରୁଛି। କ୍ଷେତକୁ ଜଗିବା ବ୍ୟବସ୍ଥା ବି ରହିଛି ଏଥିରେ। ଏହା ପକ୍ଷୀଙ୍କୁ କ୍ଷେତରୁ ତଡ଼ି ପାରୁଛି। କ୍ଷେତ ଭିତରକୁ କୌଣସି ବ୍ୟକ୍ତି କି ପଶୁ ପଶିଗଲେ ସତର୍କ କରିବା ଲାଗି ଏଥିରେ ଆର୍ଲାମ ସିଷ୍ଟମ ଲଗାଯାଇଛି। ଏହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଏହି ଟେକ୍‌ନୋଲୋଜି ଉପରେ ଗିରୀଶ ଦୃଷ୍ଟିବାଧିତମାନଙ୍କୁ ମେଶିନ ଚଳାଇବା ସମ୍ବନ୍ଧରେ ପ୍ରଶିକ୍ଷଣ ଦେଉଛନ୍ତି ଓ ସେମାନେ ବି ସଫଳତାର ସହ ଚାଷ କରିପାରୁଛନ୍ତି। ପ୍ରଶିକ୍ଷଣ ପାଇ ବିଜାପୁରର ଦୃଷ୍ଟିବାଧିତ ସହଦେବ ସିନ୍ଧେ ଓ ମାରପ୍ପା ପୂଜାରୀ ୨ ଏକର ଜମିରେ କଦଳୀ, ଆମ୍ବ ଆଦି ଚାଷ କରୁଛନ୍ତି। ଗିରୀଶ ଆଗକୁ ଏକ ଟ୍ରେନିଂ ସେଣ୍ଟର ଖୋଲିବାକୁ ଯୋଜନା କରୁଛନ୍ତି। ସେ ଗ୍ରାମୀଣ ଆବିଷ୍କାରକ ଭାବେ ଜଣାଶୁଣା। ଏହା ପୂର୍ବରୁ ବି କୃଷି କ୍ଷେତ୍ରରେ ବହୁ ମେଶିନ୍‌ ଆବିଷ୍କାର କରି ପୁରସ୍କୃୃତ ହୋଇଛନ୍ତି।