ଏଇ ଭାରତରେ

ଦେଶରେ ଅନେକ ବ୍ୟକ୍ତି କିମ୍ବା ସଂସ୍ଥା କ୍ୟାନ୍‌ସର ରୋଗୀମାନଙ୍କ ପାଇଁ କେଶ ବା ଚୁଟି ସଂଗ୍ରହ ଅଭିଯାନ ଚଳାଇଥିବାବେଳେ ଦିଲ୍ଲୀର ଦୁଇ ଭାଇ ରୋଗୀମାନଙ୍କୁ କେମୋ କ୍ୟାପ୍‌ ତିଆରି କରି ବାଣ୍ଟୁଛନ୍ତି। ଦିଲ୍ଲୀର ଏହି ଦୁଇ ଭାଇ ହେଉଛନ୍ତି ସମର୍ଥ ନାଥ ଓ ସାର୍ଥକ ନାଥ। ଏମାନଙ୍କ ବୟସ ଯଥାକ୍ରମେ ୧୮ ଓ ୧୭। କିଶୋର ବୟସରେ ଏମାନେ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା କିଛି କମ୍‌ ନୁହେଁ। ଏମାନଙ୍କ ଆଈ ମା’ କ୍ୟାନ୍‌ସରରେ ପୀଡିତ ହୋଇ ୨୦୧୭ରେ ମୃତ୍ୟୁମୁଖରେ ପଡ଼ିବା ପରେ ଏମାନେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ଆଈମା’ କେମୋ ନେଇ ଚୁଟି ଝଡିଯିବା ପରେ ସେ ସେତେବେଳେ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା ଆଉ କେଉଁ ପୀଡିତଙ୍କ କ୍ଷେତ୍ରରେ ନ ହେଉ, ସେଥିପାଇଁ ଦୁଇ ଭାଇ ଏଭଳି ଅଭିଯାନ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ଏମାନେ ୫,୦୦୦ କ୍ୟାପ୍‌ ମାଗଣାରେ ବାଣ୍ଟି ସାରିଛନ୍ତି। ଏମାନଙ୍କ ପରିବାରର ଟେକ୍ସଟାଇଲ ବିଜ୍‌ନେସ ଥିବାରୁ କପଡ଼ା ପାଇବା ଲାଗି କୌଣସି ଅସୁବିଧା ହେଉନାହିଁ। ସେମାନେ ଦିଲ୍ଲୀ ଏମ୍‌ସ ଏବଂ ନାଗପୁରର କେତୋଟି ହସ୍ପିଟାଲରେ ଏହି ସବୁ କ୍ୟାପ ବାଣ୍ଟୁଛନ୍ତି। ଏବେ ଏହି କ୍ୟାପ୍‌କୁ ଅନ୍‌ଲାଇନରେ ବିକ୍ରି କରିବା ଆରମ୍ଭ କରି ୪୦୦ କ୍ୟାପ୍‌ ବିକ୍ରି କରିଛନ୍ତି। ଯେଉଁ ଟଙ୍କା ସେମାନଙ୍କୁ ମିଳୁଛି ସେଥିରେ ସେମାନେ ଆଉ ଅଧିକ କ୍ୟାପ ତିଆରି କରି ଦେଶର ବିଭିନ୍ନ ହସ୍ପିଟାଲରେ କ୍ୟାନ୍‌ସର ରୋଗୀମାନଙ୍କୁ କେମୋ କ୍ୟାପ୍‌ ବାଣ୍ଟିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ସାର୍ଥକ।