
ଚୋର ବିଭିନ୍ନ ଜିନିଷ ଚୋରି କରିବା କଥା ସମସ୍ତେ ଶୁଣିଥିବେ। ହେଲେ ଚୋରି କରିଥିବା ଜିନିଷକୁ ଚୋର କେବେ ସେହି ସ୍ଥାନକୁ ଫେରାଇବାକୁ ଆସିବା କଥା ଶୁଣିଛନ୍ତି! ଏକଥା ହୁଏତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମନେ ହୋଇପାରେ। ମାତ୍ର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବିକାନେରର ତୋଲିଆସର ଗାଁରେ। ଏହି ଗାଁରେ ଥିବା କାଳଭୈରବଙ୍କ ମନ୍ଦିର ଆଗରୁ କିଛି ଦିନ ତଳେ ଏକ ମୋଟର ସାଇକେଲ ଚୋରି ହୋଇଯାଇଥିଲା। ମନ୍ଦିର ପୂଜାରେ ସାମିଲ ହେବା ପାଇଁ ଜଣେ ଯୁବକ ବାହାରେ ଗାଡି ରଖି ମନ୍ଦିର ଭିତରକୁ ଯାଇଥିଲେ। ମାତ୍ର ଫେରିବା ବେଳକୁ ତାଙ୍କ ଗାଡି ଚୋରି ହୋଇଯାଇଥିଲା। ମନ୍ଦିର ବାହାରେ ଲାଗିଥିବା ସିସିଟିଭି ଫୁଟେଜ୍ ଦେଖିବା ପରେ ଏହା ସ୍ପଷ୍ଟ ଜଣାପଡିଥିଲା। ଏହାପରେ ପୋଲିସ ଏହି ଘଟଣାରେ ପଚରାଉଚରା ଆରମ୍ଭ କରି ଚୋର ଖୋଜିବାରେ ଲାଗି ପଡିଥିଲା। ହେଲେ ପୋଲିସ ଚୋର ନିକଟରେ ପହଞ୍ଚତ୍ବା ପୂର୍ବରୁ ଚୋର ନିଜେ ଆସି ଗାଡି ଫେରାଇ ଦେଇ ଯାଇଥିଲେ। ଗାଡି ଚୋରି ହେବାର ଠିକ୍ ଦୁଇ ଦିନ ପରେ ଚୋର ମନ୍ଦିର ସାମ୍ନାକୁ ଆସି ଯଥା ସ୍ଥାନରେ ଗାଡି ରଖି ଦେଇ ଯାଇଥିଲେ। ଖାଲି ସେତିକି ନୁହେଁ ଚୋରି କରିଥିଲେ ବୋଲି ପଶ୍ଚାତାପ କରି ଭୁଲ୍ ମାଗିବା ସହିତ ବସ ଉଠ ହୋଇ ଠାକୁରଙ୍କ ଆଗରେ କ୍ଷମା ପ୍ରାର୍ଥନା ବି କରିଥିଲେ। ଏସବୁ ଦୃଶ୍ୟ ରେକର୍ଡ ହୋଇଥିଲା ସିସି ଟିଭିରେ। ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି। କେତେଜଣ କହୁଛନ୍ତି ପ୍ରଭୁ କାଳଭୈରବଙ୍କର କୃପାରୁ ଏପରି ହେଲା ତ ଆଉ କେତେକଙ୍କ ମତରେ ମାନବିକତା ଥିବାରୁ ଚୋର ଏପରି କରିଛି।