ଏଇ ଭାରତରେ

ଡି. ଶିବନ ଡାକ ବିଭାଗରେ ତାଙ୍କ ଚାକିରି କାଳରେ ଦୀର୍ଘ ୩୫ ବର୍ଷ ଧରି ନଦୀ, ନାଳ, ବଣ, ପାହାଡ଼ ପାରହୋଇ ନିଜ କର୍ତ୍ତବ୍ୟ ପାଳନ କରି ନିକଟରେ ଅବସର ଗ୍ରହଣ କରିଛନ୍ତି। ଏବେ ତାଙ୍କ ବୟସ ୬୫। ଅବସର ନେବା ଯାଏ ସେ ଏଭଳି ଏକ ନିୟମିତ ଜୀବନଧାରାରେ ରହିଥିଲେ, ଯାହା ଏବକାର କର୍ମଚାରୀଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ସେ ନୀଳଗିରି ମାଉଣ୍ଟେନ ରେଲଓ୍ବେ ଟ୍ରାକ୍‌ କଡ଼େ କଡ଼େ ଚାଲି ଚାଲିି ଯାଆନ୍ତି ଓ ଦୁର୍ଗମ ଅଞ୍ଚଳ ଗାଁଗୁଡ଼ିକରେ ବନ ବିଭାଗର ଶ୍ରମିକ ଏବଂ ଗ୍ରାମବାସୀମାନଙ୍କୁ ପେନ୍‌ସନ ଓ ଡାକ ସେବା ଯୋଗାଇ ଦିଅନ୍ତି। ଶିବନଙ୍କ ଜୀବନଶୈଳୀ ଅତି ସାଧାରଣ। ରହନ୍ତି ତାମିଲନାଡୁର କୋନୁରରେ । ସେ ଚାକିରିରୁ ଅବସର ନେଇଛନ୍ତି, କିନ୍ତୁ ଦୀର୍ଘ ୩୫ ବର୍ଷ ଧରି ତାଙ୍କ ନିୟମିତ କାର୍ଯ୍ୟଧାରାରେ କିଛି ବି ପରିବର୍ତ୍ତନ କରି ନ ଥିଲେ ବୋଲି କହନ୍ତି ସେଠାକାର ବାସିନ୍ଦା। ସକାଳ ୧୦ଟାରୁ ସେ ଯାତ୍ରା ଆରମ୍ଭ କରି ତାଙ୍କ କାର୍ଯ୍ୟସ୍ଥଳୀ ହିଲ୍‌ଗ୍ରୋଭ ପୋଷ୍ଟ ଅଫିସକୁ ଯାଆନ୍ତି। ଏହି ଅଫିସ ଘର ପାଖରୁ ୧୦ କି.ମି ଦୂର। ଘରଠାରୁ ଏକ ଲୋକାଲ ବସ୍‌ରେ ୪ କି.ମି, ଗଲା ପରେ ଅବଶିଷ୍ଟ ବାଟ ଚାଲି ଚାଲି ଯାଇ ଅଫିସ୍‌ରେ ପହଞ୍ଚନ୍ତି। ସେଠାରେ ପହଞ୍ଚିବା ପରେ ମେଲ୍‌ ଧରି ଚାଲିବା ଆରମ୍ଭ କରିଦିଅନ୍ତି ବିଭିନ୍ନ ସ୍ଥାନକୁ। ଜଙ୍ଗଲରେ ବନ୍ୟଜନ୍ତୁଙ୍କୁ ଖାତିର ନ କରି ସେ ନଦୀ, ନାଳ, ପାହାଡ଼ ଚଢ଼ି ବିଭିନ୍ନ ଗ୍ରାମରେ ଲୋକମାନଙ୍କ ପାଖରେ ଡାକ ପହଞ୍ଚାଇ ପୁଣି ପେରି ଆସନ୍ତି। ଜଙ୍ଗଲ ଭିତରେ ସେ ପ୍ରାୟ ୧୫ କି.ମି. ଚାଲନ୍ତି।