ଏଇ ଭାରତରେ

ଅସହାୟ ଓ ବୃଦ୍ଧ ବ୍ୟକ୍ତିମାନଙ୍କ ପାଇଁ ନିଜ ଦରମାର ୨୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି କେ. କ୍ରିଷ୍ଣମୂର୍ତ୍ତି। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ପୋଲିସ ଷ୍ଟେଶନ୍‌ରେ ମୁଖ୍ୟ କନଷ୍ଟେବଳ ଭାବେ କାର୍ଯ୍ୟରତ କ୍ରିଷ୍ଣମୂର୍ତ୍ତି ତିନି ବର୍ଷ ମଧ୍ୟରେ ମୋଟରେ ୧୦୦୦ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ, ପୋଷାକ ଓ ଔଷଧ ଯୋଗାଇ ଦେଇଛନ୍ତି। ପୋଲିସ ଷ୍ଟେଶନ୍‌କୁ ଅଭିଯୋଗ କରିବାକୁ ଆସୁଥିବା ଗରିବ ଲୋକମାନଙ୍କ ରହିବା, ଖାଇବା ତଥା ବିଭିନ୍ନ ଅଞ୍ଚଳକୁ ଯିବା ଅବସରରେ ବହୁ ଅସହାୟ ଓ ବୃଦ୍ଧ ବ୍ୟକ୍ତିଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବାପରେ ସେ ସେମାନଙ୍କୁ ସାହାଯ୍ୟ କରିଥାଆନ୍ତି। ଏଥିପାଇଁ କ୍ରିଷ୍ଣମୂର୍ତ୍ତି ମାସକୁ ୧୦,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଚଳପ୍ରଚଳ ହୋଇପାରୁ ନ ଥିବା ବୃଦ୍ଧ ବ୍ୟକ୍ତିମାନଙ୍କ ଘରେ ଖାଦ୍ୟ, ପୋଷାକ ଓ ଓଷଧ ପହଞ୍ଚାଇ ଦେଉଛନ୍ତି। ଥାନା କାମ ପରେ କ୍ରିଷ୍ଣମୂର୍ତ୍ତି ପ୍ରତିଦିନ ବଜାରରୁ ଆବଶ୍ୟକ ଜିନିଷ କିଣିଥାଆନ୍ତି। ପ୍ରତି ମାସରେ ସେ ଅତିକମ୍‌ରେ ୩୦ ଜଣଙ୍କୁ ସାହାଯ୍ୟ କରିବାର ଲକ୍ଷ୍ୟ ରଖିଥାଆନ୍ତି। ଦେଶର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଜନ୍ମତିଥିରେ ସେ ଗରିବ ପିଲାମାନଙ୍କୁ ବହି ମଧ୍ୟ ବାଣ୍ଟୁଛନ୍ତି।