ଏଇ ଭାରତରେ

ପାନୀୟ ଜଳ ସଙ୍କଟ ଦୂର କରିବା ସହ ଜଳ ସେଚନର ବିକାଶ ପାଇଁ ଝାଡ଼ଖଣ୍ଡର ଅଜୟ ଶର୍ମା ଯାହା କରୁଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଖୁଣ୍ଟି ଜିଲାରେ ସେ ଅଖାରେ ବାଲି,ମାଟି ଓ ଘାସ ଭର୍ତ୍ତି କରି ସେଥିରେ ଆଡ଼ିବନ୍ଧ ନିର୍ମାଣ କରୁଛନ୍ତି,ଯାହା ଦ୍ୱାରା ଏହି ଅଞ୍ଚଳରେ ଜଳ ସଙ୍କଟ ସମ୍ପୂର୍ଣ୍ଣ ଦୂର ହେବା ସହ ଜଳସେଚନର ଲାଭ କୃଷକମାନେ ପାଉଛନ୍ତି। ଖୁଣ୍ଟି ଜିଲାର ୭୦ଟି ଗାଁରେ ପ୍ରାୟ ୮,୦୦୦ କୃଷକ ଏହାଦ୍ୱରା ଉପକୃତ ହେଉଛନ୍ତି। ଖୁଣ୍ଟି ଜିଲାର ବହୁ ଗ୍ରାମରେ ଦୀର୍ଘ ବର୍ଷ ହେବ ଜଳ ସଙ୍କଟ ଲାଗି ରହିଥିଲା। ଏପରିକି ଲୋକମାନେ ପିଇବା ଓ ଗାଧୋଇବା ଲାଗି ପାଣି ପାଉ ନଥିଲେ। ଛୋଟ ନଈ, ଝରଣା ଓ ନାଳୀରେ ସରକାର କଂକ୍ରିଟ ଆଡ଼ିବନ୍ଧ ନିର୍ମାଣ କରିଥିଲେ ବି ସେଗୁଡ଼ିକ ପ୍ରଖର ସ୍ରୋତରେ ନଷ୍ଟ ହୋଇଯାଉଥିଲା। କିନ୍ତୁ ୨୦୧୮ରେ ଅଜୟ ସଓ୍ବୋ ଓ୍ବେଲ୍‌ଫେୟାର ଏନ୍‌ଜିଓ ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହିସବୁ ଆଡିବନ୍ଧ ନିର୍ମାଣ ଆରମ୍ଭ କରିଥିଲେ। ସବୁଠୁ ବଡ ଆଡ଼ିବନ୍ଧର ଲମ୍ବ ୮୦ ଫୁଟ୍‌। ପ୍ରଥମେ ସେ ୨୦୦୦ ଟଙ୍କା ସଂଗ୍ରହ କରି ପ୍ରଥମ ଆଡ଼ିବନ୍ଧ ନିର୍ମାଣ କରିବା ପରେ ତାଙ୍କୁ ଅନୁଦାନ ମିଳିବାରେ ଲାଗିଲା। ଏହାକୁ ଉପଯୋଗ କରି ଆଡ଼ିବନ୍ଧ ନିର୍ମାଣ କରି ଚାଲିଛନ୍ତି।