ଏଇ ଭାରତରେ

ଖଣି ଶ୍ରମିକରୁ ଶିକ୍ଷାର ବର୍ତ୍ତିକା ସାଜିଛନ୍ତି ଝାଡ଼ଖଣ୍ଡର ନୀରଜ ମୁର୍ମୁ। ଗିରିଡିହର ଡୁଲିୟାକରମ୍‌ ଗାଁରେ ତାଙ୍କ ଘର। ଆଦିବାସୀ ପରିବାରରେ ଜନ୍ମିତ ମୁର୍ମୁଙ୍କୁ ଏବେ ବୟସ ୨୨। ସେ ଏକ ସ୍କୁଲ୍‌ ପ୍ରତିଷ୍ଠା କରି ଅସହାୟ ପିଲାମାନଙ୍କୁ ମାଗଣାରେ ପଢ଼ାଉଛନ୍ତି। ଏମାନଙ୍କ ମଧ୍ୟରେ ଖଣିରେ କାମ କରୁଥିବା ଶିଶୁ ଶ୍ରମିକଙ୍କ ସଂଖ୍ୟା ଅଧିକ । ନୀରଜ ୯ ବର୍ଷ ବୟସରେ ମା’ ସାଙ୍ଗରେ ଖଣିକୁ ଯାଉଥିଲେ। ଏହା ଭିତରେ ବେଳେବେଳେ ସ୍କୁଲ ବି ଯାଆନ୍ତି। ପଢ଼ା ଛାଡି ମିକା ଖଣିରେ ସେ ୨୦୧୧ ଯାଏ ଜଣେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରିଛନ୍ତି। ପୁଣି ଅଷ୍ଟମ ଶ୍ରେଣୀରେ ନାମ ଲେଖାଇ ମାଟ୍ରିକ ପାସ୍‌ କରିବା ପରେ ଇଞ୍ଜିନିୟରିଂରେ ଡିପ୍ଲୋମା କରିବାକୁ ସେ ଚେନ୍ନାଇ ଯାଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେଥିରୁ ଓହରି ଯାଇ ଘରେ ରହି ଇଣ୍ଟରମିଡିଏଟ ପାସ୍‌ କଲେ। ଏହି ସମୟରେ ଶିକ୍ଷକମାନଙ୍କ ଷ୍ଟ୍ରାଇକ୍‌ ଯୋଗୁ ପିଲାମାନେ ପାଠ ଛାଡି ଖଣିରେ ବହୁ ସଂଖ୍ୟାରେ କାମ କରିବାକୁ ଲାଗିଲେ ।
କିନ୍ତୁ ନୀରଜ ଏମାନଙ୍କୁ ଉଦ୍ଧାର କରି ୨୦୧୮ରେ ତାଙ୍କ ଗାଁରେ ଏକ ଭଡ଼ା ଘରେ ସ୍କୁଲ୍‌ ପ୍ରତିଷ୍ଠା କରି ପଢ଼ାଇବା ଆରମ୍ଭ କରିଥିଲେ। ତାଙ୍କ ସ୍କୁଲ ନାଁ କୈଳାସ ସତ୍ୟାର୍ଥୀ ସ୍କୁଲ। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ପଢ଼ାଉଛନ୍ତି। ଏବେ ସ୍କୁଲରେ ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ପଢୁଛନ୍ତି। ସ୍କୁଲରେ ନୀରଜଙ୍କ ଜଣେ ସାଙ୍ଗଙ୍କ ସହ ତାଙ୍କ ଭଉଣୀ ପଢ଼ାଉଛନ୍ତି। ଏବେ ସୁଦ୍ଧା ସେ ୨୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ସ୍କୁଲକୁ ଆଣିପାରିଛନ୍ତି। ସେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ବି ହାସଲ କରିଛନ୍ତି। ବି.ଏଡ୍‌. ପାସ୍‌ କରିବା ପରେ ଖଣି ଅଞ୍ଚଳରେ ଅଧିକ ସ୍କୁଲ ଖୋଲି ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ପଢ଼ାଇବାର ଲକ୍ଷ୍ୟ ରଖିଛନ୍ତି ନୀରଜ। ଏହି କାର୍ଯ୍ୟ ଲାଗି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି।