ଏଇ ଭାରତରେ

ବର୍ଜ୍ୟ ପ୍ଲାଷ୍ଟିକର ଉପଯୋଗ କରି କିଏ କେତେ କ’ଣ କରୁଛନ୍ତି କିନ୍ତୁ ଆସାମର ରୂପଜ୍ୟୋତି ସାଇକିଆ ଗୋଗୋଇ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। କାଜିରଙ୍ଗା ଜାତୀୟ ଉଦ୍ୟାନରେ ପଡିଥିବା ଅଦରାକରୀ ପ୍ଲାଷ୍ଟିକ କଭର୍‌ ସଂଗ୍ରହ କରି ପାରମ୍ପରିକ ହସ୍ତତନ୍ତରେ ଏଗୁଡ଼ିକୁ ବୁଣି ଆକର୍ଷଣୀୟ ହ୍ୟାଣ୍ଡ୍‌ବ୍ୟାଗ, ଡୋର୍‌ମ୍ୟାଟ, ଟେବୁଲ କ୍ଲଥ୍‌ ଏବଂ ଅନ୍ୟ ସବୁ ଜିନିଷ ପ୍ରସ୍ତୁତ କରୁଛନ୍ତିି। ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ କରାଯିବା ପରେ ତାହାକୁ ଭଲ ଭାବେ ଧୋଇ ଶୁଖାଇ ବ୍ୟବହାର କରାଯାଉଛି। ୨୦୦୪ରୁ ସେ ଏହି କାର୍ଯ୍ୟ ଆରମ୍ଭ କରି ଏଥିରେ ୨୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଜୀବିକା ଯୋଗାଇ ଦେଇଛନ୍ତି। ରୂପଜ୍ୟୋତିଙ୍କ ବୟସ ୪୭। କେବଳ ଏହି କ୍ଷେତ୍ରରେ ନୁହେଁ ବରଂ ଅନ୍ୟ ପ୍ରକାର ବର୍ଜ୍ୟ ପ୍ଲାଷ୍ଟିକର ପୁନଃ ଉପଯୋଗ କରିବା ଉପରେ ସେ ହଜାର ହଜାର ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି। ୨୦୧୨ରେ ରୂପଜ୍ୟୋତି କାଜିରଙ୍ଗା ହାଟରେ ଏକ ଦୋକାନ ଖୋଲି ସେଠାରେ ଏହି ସବୁ ଜିନିଷ ବିକ୍ରି କରୁଛନ୍ତି। ତାଙ୍କର ଏହି ଅଭିଯାନରେ କାଜିରଙ୍ଗାରେ ପ୍ଲାଷ୍ଟିକ ପ୍ରଦୂଷଣ ଅନେକାଂଶରେ କମିଯାଇଛି। ପର୍ଯ୍ୟଟନ ଋତୁରେ ତାଙ୍କ ନେଟଓ୍ବର୍କରେ ଯୋଡି ହୋଇଥିବା ମହିଳାମାନେ ମାସକୁ ୨୫,୦୦୦ଟଙ୍କାରୁ ଅଧିକ ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି।