ଏଇ ଭାରତରେ

ଅନେକ ସମୟରେ ଜଣଙ୍କର ନୂତନ ଜ୍ଞାନକୌଶଳ ପ୍ରଦୂଷଣ ରୋକିବାରେ ନୂଆ ବାଟ ଦେଖାଇଥାଏ, ଯେମିତି କରିଛନ୍ତି କେରଳର ଭାରତୀୟ ବନ ସେବା ଅଧିକାରୀ ମୀନାକ୍ଷୀ ସି। ସେ ଚାରା ଉତାରିବା ପାଇଁ ପ୍ଲାଷ୍ଟିକ ବ୍ୟାଗ୍‌ ବ୍ୟବହାର ବନ୍ଦ କରି ନଡ଼ିଆ କତା କୁଣ୍ଡ ଉପଯୋଗ କରୁଛନ୍ତି। ପ୍ରତିବର୍ଷ ବନ ବିଭାଗ ସ୍କୁଲ, କଲେଜ, କ୍ଲବ୍‌, ପଞ୍ଚାୟତ ଏବଂ ବିଭିନ୍ନ ସଂସ୍ଥାଗୁଡ଼ିକୁ ପ୍ରାୟ ୯୦ ଲକ୍ଷ ଚାରା ଯୋଗାଇଥାଏ। ଏହାଦ୍ୱାରା ଚାରା ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ୯୦ ଲକ୍ଷ ପଲିଥିନ୍‌ ବ୍ୟାଗ୍‌ର ନକାରାମତ୍କ ପ୍ରଭାବରୁ ପରିବେଶକୁ ରକ୍ଷା କରିବା ପାଇଁ ବିକଳ୍ପ ଭାବେ ନଡ଼ିଆ କତା କୁଣ୍ଡ ଉପଯୋଗ କରୁଛନ୍ତି ମୀନାକ୍ଷୀ। ୨୦୧୮ରେ ମୀନାକ୍ଷୀ କେରଳ କେନ୍ଦ୍ରାଞ୍ଚଳର ବନ ସଂରକ୍ଷକ ଭାବେ ନିଯୁକ୍ତି ପାଇବା ପରେ ୨୦୧୯ରେ ଚାରା ପାଇଁ ପଲିଥିନ ବଦଳରେ ନଡ଼ିଆ କତା କୁଣ୍ଡ ବ୍ୟବହାର ଆରମ୍ଭ କରିଥିଲେ। ସେ ତାମିଲନାଡୁର ପୋଲାଚିରୁ ପ୍ରଥମେ ଏହି କୁଣ୍ଡ ମଗାଇ ସେଥିରେ ଚାରା ଉତାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏବେ ସୁଦ୍ଧା ଏମିତିକା ୫୦ ଲକ୍ଷ ଚାରା ବଣ୍ଟନ କରିସାରିଲେଣି। ଦ୍ୱିତୀୟ ପର୍ଯ୍ୟାୟ ଚାରା ପ୍ରସ୍ତୁତ କରିବାରେ ଲାଗିଛନ୍ତି ମୀନାକ୍ଷୀ ଓ ତାଙ୍କ ଟିମ୍‌। କତା କୁଣ୍ଡର ଲମ୍ବ ୧୦୦ମି.ମି., ବ୍ୟାସ ୫୦ମି.ମି. ଓ ମୋଟା ୨.୫ ମି.ମି.। ଏହା ଦେଖିବାକୁ କୋନ୍‌ ଆକୃତିର। ଓଜନ କମ୍‌। ଚାରା ନେବା ଆଣିବାରେ ଏହା ନଷ୍ଟ ହେଉନି। ମୀନାକ୍ଷୀଙ୍କର ଏହି ଯୋଜନାରେ ଏର୍ନାକୁଲମର ଡିଭିଜନାଲ ଫରେଷ୍ଟ ଅଫିସର ବି ସାମିଲ ହୋଇଛନ୍ତି।