ଏଇ ଭାରତରେ

କୌଣସି ଅପରାଧ କରି ପୋଲିସ ହାତରେ ଧରାପଡ଼ିଲେ ଜେଲଦଣ୍ଡ ଭୋଗିବାକୁ ପଡିଥାଏ। ଏଥିପାଇଁ ସବୁ ବୟସ ବର୍ଗର ବ୍ୟକ୍ତିଙ୍କୁ ଦଣ୍ଡ ମିଳିବାର ଆଇନ ରହିଛି। କିନ୍ତୁ ଏମିତି ଏକ ଘଟଣାକ୍ରମରେ କୁକୁଡ଼ାମାନଙ୍କୁ ବି ଜେଲଦଣ୍ଡ ଭୋଗିବାକୁ ପଡିଛି ତେଲଙ୍ଗାନାରେ। ଏହା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଠାରେ ଗତ ୨୫ ଦିନ ହେଲାଣି ଦୁଇଟି କୁକୁଡ଼ା ଜେଲ୍‌ରେ ବନ୍ଦୀହୋଇ ରହିଛନ୍ତି। ପ୍ରକୃତ କଥା ହେଉଛି, ତେଲଙ୍ଗାନାରେ ମକର ସଂକ୍ରାନ୍ତିରେ କୁକୁଡ଼ା ଲଢ଼େଇ ଭଳି ଏକ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଲୋକପ୍ରିୟ ହୋଇଥାଏ। କିନ୍ତୁ ଏହି କାର୍ଯ୍ୟକ୍ରମରେ ଅନେକ ସ୍ଥାନରେ ଜୁଆଖେଳ ମଧ୍ୟ ଆୟୋଜନ କରାଯାଇଥାଏ। ଏମିତି ଏକ ସ୍ଥାନରେ କୁକୁଡ଼ା ଲଢ଼େଇକୁ ନେଇ ଜୁଆଖେଳ ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରି ୧୦ଜଣଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କଠାରୁ ଏକ ବାଇକ୍‌ ଓ ଦୁଇଟି କୁକୁଡ଼ାକୁ ମଧ୍ୟ ଜବତ କରିଥିଲା। ତେବେ ପୋଲିସ ସମସ୍ତଙ୍କୁ ଜେଲକୁ ପଠାଇଦେଇଥିଲା। ମାତ୍ର କିଛି ଦିନ ପରେ ସମସ୍ତେ ଜାମିନରେ ମୁକୁଳି ଯାଇଥିଲେ। ହେଲେ କୁକୁଡ଼ା ଦୁଇଟି ଜେଲ୍‌ରେ ରହି ଯାଇଥିଲେ। କାହିଁକି ନା କୁକୁଡ଼ା ଦୁଇଟିର ମାଲିକ କିଏ ବୋଲି କେହି ସ୍ବୀକାର କରି ନ ଥିଲେ। ତେଣୁ ବିଚରା କୁକୁଡ଼ା ଦୁଇଟିକୁ ନେଇ ପୋଲିସ କ’ଣ କରିବ ଚିନ୍ତାରେ ପଡ଼ିଯାଇଛି।