ଏଇ ଭାରତରେ

ସମୁଦ୍ର ପତ୍ତନଠାରୁ ୧୪,୦୦୦ ଫୁଟ ଉଚ୍ଚରେ ଚାଷରେ ସଫଳତା ପାଇବା କିଛି କମ୍‌ କଥାନୁହେଁ। ଏଭଳି ସଫଳ ଚାଷୀ ଜଣକ ହେଉଛନ୍ତି ଲଦାଖର ଉର୍ଗେନ ଫନ୍‌ଷ୍ଟୋଗ। ବୟସ ୪୮। ଲେହଠାରୁ ୭୦ କି.ମି. ଦୂର ଜିୟା ଗାଁରେ ତାଙ୍କ ଘର। ୧୨ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ତା’ପରେ ବହୁ କଷ୍ଟରେ ହାଇସ୍କୁଲ ଶିକ୍ଷା ଶେଷ କରି ସେନାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲେ ବି ପରିବାର ପ୍ରତିପୋଷଣ ପାଇଁ ଚାଷ ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ଚାଷରେ ସଫଳତା ପାଇ ଚାଲିଲେ। ଏବେ ସେ ପାଖାପାଖି ୮ ଏକର ଜମିରେ ୨୦ ପ୍ରକାର ଫସଲ କରୁଛନ୍ତି। ଏଥିରେ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରୁଛନ୍ତି ଗୋଟିଏ ସିଜନ୍‌ରେ। ପରିବା ଚାଷ ଲାଗି ଦୁଇଟି ଗ୍ରୀନ୍‌ ହାଉସ ନିର୍ମାଣ କରିଛନ୍ତି। ସମୁଦ୍ର ପତ୍ତନର ୧୪,୦୦୦ ଫୁଟ ଉଚ୍ଚରେ ଯେଉଁଠି ତାପମାତ୍ରା -୩୦ ଡିଗ୍ରୀ ରହୁଛି ସେଠାରେ ସାଧାରଣ ଜୀବନ କଷ୍ଟକର ହେଉଥିଲେ ବି ଉର୍ଗେନଙ୍କ ପ୍ରୟାସ ଅନେକଙ୍କ ପାଇଁ ପ୍ରେରଣା। ସେ ଛେଳି, ମେଣ୍ଢା ଆଦି ପାଳନ କରି ବର୍ଷକୁ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରୁଛନ୍ତି। ଜିଆଖତ ମଧ୍ୟ ପ୍ରସ୍ତୁତ କରି ତାହାକୁ ଫସଲରେ ବ୍ୟବହାର କରୁଛନ୍ତି ଓ ଖତକୁ ପ୍ୟାକେଟ୍‌ କରି ବିକ୍ରି କରୁଛନ୍ତି। ଏଥିପାଇଁ ତାଙ୍କୁ କୁହାଯାଉଛି ‘ମାଟିର ମଣିଷ’।