ପ୍ରାଚୀନ ବିଶ୍ୱାସ ବିରୋଧରେ ଲଢେଇ କରିବା ସହ ବିଲୁପ୍ତ ଦ୍ୱାରଦେଶରେ ଥିବା ଏକ ପ୍ରଜାତିର କଇଁଛ ଲାଗି ଜୟାଦିତ୍ୟ ପୁରକାୟାସ୍ଥ ଯେଉଁ ଅଭିଯାନ ଚଳାଇଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। ସେ ଜଣେ ସରୀସୃପବିତ୍। ବିରଳ ପ୍ରଜାତିର ବ୍ଲାକ୍ ସଫ୍ଟସେଲ ଟର୍ଟଲ ବା କଳାରଙ୍ଗର ନରମ ଖୋଳଥିବା କଇଁଛ ସୁରକ୍ଷାରେ ଲାଗିଛନ୍ତି ଗୁଆହାଟି ନିବାସୀ ୩୨ ବର୍ଷୀୟ ଜୟାଦିତ୍ୟ । ସେ ପୋବିତୋରା ବନ୍ୟ ଅଭୟାରଣ୍ୟରେ ଏମାନଙ୍କ ବଂଶବୃଦ୍ଧି କରି ସେଠାରେ ଛାଡିଛନ୍ତି। ଏବେ ସୁଦ୍ଧା ୩୦୦ଟି ଉକ୍ତ ପ୍ରଜାତିର କଇଁଛ ସେଠାରେ ଛାଡ଼ିସାରିଲେଣି। ଏମାନେ ଭାରତର ବହ୍ମପୁତ୍ର ନଦୀ ଓ ବାଂଲାଦେଶର କେତେକ ଆର୍ଦ୍ରାଞ୍ଚଳରେ ଦେଖାଯାଆନ୍ତି। ମାଂସ ପାଇଁ ଏମାନଙ୍କୁ ଶିକାର କରାଯାଉଛି। ଧର୍ମୀୟ ବିଶ୍ୱାସକୁ ଆଧାର କରି ପୁଅଜନ୍ମ ହେଲେ ଲୋକେ ଏମାନଙ୍କୁ ପୋଖରୀରେ ଛାଡ଼ନ୍ତି। କଇଁଛ ଦୀର୍ଘଜୀବନର ପ୍ରତୀକ ହୋଇଥିବାରୁ ପୁଅର ଦୀର୍ଘାୟୁଷ କାମନା କରି ଏହା କରାଯାଇଥାଏ। ଏହି କଇଁଛକୁ ପ୍ରଜନନ କ୍ଷମତାର ପ୍ରତୀକ ମନେକରି ମହିଳାମାନେ ବି ଋତୁସ୍ରାବ ସମସ୍ୟା ଦୂର ପାଇଁ ଏମାନଙ୍କୁ ପୋଖରୀରେ ଛାଡ଼ନ୍ତି। ଏଭଳି ପୁରୁଣା ବିଶ୍ୱାସ ଯୋଗୁ ଏହି ବିରଳ କଳା କଇଁଛ ବଂଶ ଲୋପପାଇବାରେ ଲାଗିଛି। ଆସାମର ଅହୋମ ରାଜବଂଶ ଅମଳରୁ ଏହି ଅନ୍ଧବିଶ୍ୱାସ ଆରମ୍ଭ ହୋଇ ଏବେ ଯାଏ ରହିିଛି। ତେବେ ଜୟାଦିତ୍ୟ ଏହାକୁ ଦୂର କରିବା ଲାଗି ପାରୁପର୍ଯ୍ୟନ୍ତ ପ୍ରଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଆସାମର ୨୯ଟି ପୋଖରୀରେ ଏହି କଇଁଛ ରହିଛନ୍ତି। ସେଠାରେ ବନ୍ଦୀ କଇଁଛଗୁଡ଼ିକୁ ଉଦ୍ଧାର କରିବା ଲାଗି ଚେଷ୍ଟା କରି ବିଫଳ ହେବା ପରେ ଜୟାଦିତ୍ୟ ଜଙ୍ଗଲରେ ଏମାନଙ୍କ ସୁରକ୍ଷା ବ୍ୟବସ୍ଥା କରିଛନ୍ତି।