ଏଇ ଭାରତରେ

ଗଡ଼ିଆ, ସିମେଣ୍ଟ କୁଣ୍ଡ କିମ୍ବା ମାଛ ଚାଷ କରାଯାଉଥିବା ଟାଙ୍କିରେ ମୁକ୍ତାଚାଷ କରାଯିବା ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଛୋଟ ଛୋଟ କାଚଟାଙ୍କିରେ ମୁକ୍ତାଚାଷ କରାଯିବା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିତ୍ବ। କିନ୍ତୁ ଏହା ସତ। ଏମିତି ଚାଷ କରୁଛନ୍ତି ଉତ୍ତରପ୍ରଦେଶର ଜିତେନ୍ଦ୍ର ଚୌଧୁରୀ। ଗାଜିଆବାଦର ମୁରାଦନଗର ଅନ୍ତର୍ଗତ ଖୁରାମପୁର ଗାଁ ନିବାସୀ ଜିତେନ୍ଦ୍ର ୩ ଫୁଟ୍‌ ଲମ୍ବ ଓ ୨.୫ ଫୁଟ୍‌ ଚଉଡ଼ାର କାଚଟାଙ୍କିରେ ଏହି ଚାଷ କରୁଛନ୍ତି। ୫୦ଟି ଶାମୁକା ଏହି ଟାଙ୍କିରେ ରଖାଯାଉଛି। ଗୋଟିଏ ଛୋଟ ଶାମୁକାରୁ ୨ରୁ ୮ଟି ଏବଂ ବଡ଼ ଶାମୁକାରୁ ୨୮ଟି ମୁକ୍ତା ମିଳୁଛି। ଉତ୍ପାଦିତ ମୁକ୍ତାକୁ ସେ ବିଦେଶକୁ ମଧ୍ୟ ରପ୍ତାନି କରୁଛନ୍ତି। ୨୦୦୯ରେ ଜିତେନ୍ଦ୍ର ମୁକ୍ତାଚାଷ ଆରମ୍ଭ କରିଥିଲେ ଓ ଏଥିରେ ୨୦,୦୦୦ ଟଙ୍କା ଖଟାଇଥିଲେ। ରିସର୍କ୍ୟୁଲେଟିଂ ଆକ୍ୱାକଲଚର ସିଷ୍ଟମ( ଆରଏଏସ) ରେ ଏହି ଚାଷ କରୁଛନ୍ତି। ଏହି ପଦ୍ଧତି ସମ୍ପର୍କରେ ସେ ଓଡ଼ିଶାସ୍ଥିତ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଫ୍ରେଶଓ୍ବାଟର ଆକ୍ୱାକଲଚର( ସିଆଇଏଫ୍‌ଏ)ରୁ ପ୍ରଶିକ୍ଷଣ ପାଇଛନ୍ତି। ସେ ମାଛ ଚାଷ କରୁଛନ୍ତି ଓ ମାଛ ଟାଙ୍କିର ପାଣିକୁ ଫିଲଟର କରି ମୁକ୍ତାଚାଷରେ ବ୍ୟବହାର କରିବା ଦ୍ୱାରା ପାଣି ଅପଚୟକୁ ବି ରୋକି ପାରିଛନ୍ତି। କାଚ ଟାଙ୍କିରେ ୫ରୁ ୧୦ ହଜାର ଟଙ୍କା ମଧ୍ୟରେ ମୁକ୍ତାଚାଷ ଆରମ୍ଭ କରାଯାଇପାରିବ ବୋଲି କହନ୍ତି ଜିତେନ୍ଦ୍ର। ଜିତେନ୍ଦ୍ର କମ୍ପ୍ୟୁଟର ଆପ୍ଲିକେଶନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ବି ଏହି ଚାଷ କରୁଛନ୍ତି ଓ ଏଥିରେ ୯୫ ପ୍ରତିଶତ ସଫଳତା ପାଉଛନ୍ତି।