ଏଇ ଭାରତରେ

୪ ଜଣ ମହିଳା ୩,୦୦୦ ଟଙ୍କାରେ ଏକ କ୍ୟାଣ୍ଟିନ୍‌ ଆରମ୍ଭ କରି ଏବେ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରୁଥିବା ଘଟଣା ସାମ୍‌ନାକୁ ଆସିଛି ମୁମ୍ବାଇରେ। ଇନ୍ଦୁମତୀ ବ୍ରାଭେ, ଊଷା ମନେରିକା, ଜୟଶ୍ରୀ ସାମନ୍ତ ଏବଂ ସୁଭଦ୍ରା କୋଥାଓ୍ବାଲେ ଏହି କ୍ୟାଣ୍ଟିନ୍‌ ଚଳାଉଛନ୍ତି। ସେମାନେ ଅସହାୟ ମହିଳା ଓ ସିଙ୍ଗଲ ମଦରଙ୍କୁ ସ୍ବାବଲମ୍ବୀ କରିବା ପାଇଁ ୧୯୯୧ରେ ଶ୍ରମିକ ମହିଳା ବିକାଶ ସଂଘ ଗଠନ କରି ପଞ୍ଜୀକରଣ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ଇନ୍ଦୁମତୀ। ସେ ବସାଇ ଅଞ୍ଚଳର ଏମ୍‌ଜି ରୋଡସ୍ଥିତ ନ୍ୟୁ ଇଂଲିଶ ସ୍କୁଲର ଶିକ୍ଷୟିତ୍ରୀ ଥିଲେ। ଏହିି ସଂଗଠନର ସହଯୋଗରେ କେବଳ କ୍ୟାଣ୍ଟିନ୍‌ ନୁହେଁ, ଅନ୍ୟ କେତେକ କ୍ଷେତ୍ରରେ ୩୦୦ ମହିଳା ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଉକ୍ତ ସଂଗଠନ ପ୍ରଥମେ ପାମ୍ପଡ଼ ତିଆରି କରି ସଫଳ ନ ହେବାରୁ ଇନ୍ଦୁମତୀ ଓ ତାଙ୍କର ଅନ୍ୟ ତିନିଜଣ ସାଙ୍ଗ ୩ ହଜାର ଟଙ୍କା ଆଦାୟ କରି କ୍ୟାଣ୍ଟିନ୍‌ ଆରମ୍ଭ କରିଥିଲେ। ପ୍ରଥମେ କ୍ୟାଣ୍ଟିନ୍‌ରେ ୭ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ। ଏବେ ଏଥିରେ ୧୭୫ ଜଣ ମହିଳା କାମ କରୁଛନ୍ତି। ଏମାନେ ରୋଷେଇ କରିି ବସ୍‌ ଓ ଅଟୋରିକ୍ସା ଡ୍ରାଇଭର, କର୍ମଜୀବୀ ବ୍ୟାଚେଲର୍‌ଙ୍କ ପାଖରେ ଖାଦ୍ୟ ପହଞ୍ଚାଉଥିଲେ। ଏହି ସଂଗଠନ ପରେ ଲୋକମାନଙ୍କଠାରୁ ଅନୁଦାନ ପାଇବାରେ ଲାଗିଲା। ସେମାନେ ବାସନ, ଗ୍ରୋସେରୀ ଏବଂ ପରିବା ଆଦି ଯୋଗାଇ ଦେଲେ। ପ୍ରଥମେ କ୍ୟାଣ୍ଟିନରେ ୧୦ ଟଙ୍କାରେ ମିଲ୍‌ ଯୋଗାଇ ଦେଉଥିଲେ, ଏବେ ଏହାର ମୂଲ୍ୟ ପହଞ୍ଚତ୍ଛି ୭୦ ଟଙ୍କାରେ। ସକାଳ ୮ଟାରୁ ରାତି ୧୦ଟାଯାଏ ଚାଲୁଛି କ୍ୟାଣ୍ଟିନ୍‌। ଏବେ ଏମାନେ ସହରର ୬ଟି ସ୍ଥାନରେ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରିଛନ୍ତି ଓ ଏଥିରୁ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରୁଛନ୍ତି।