ଏଇ ଭାରତରେ

ସେବା କରିବାର ନିଷ୍ଠା ସମ୍ମୁଖରେ ଅର୍ଥର ମୂଲ୍ୟ କିଛି ନୁହେଁ, ଯାହା ପ୍ରମାଣ କରିଛନ୍ତି ଶଶାଙ୍କ ମୋଧିଆ। ସେ ଆମେରିକାର ଇଣ୍ଟରନ୍ୟାଶନାଲ ହେଲ୍‌ଥକେୟାର କମ୍ପାନୀ ବକ୍ସର ଇଣ୍ଟରନ୍ୟାଶନାଲରେ ଚାକିରି କରିଥିଲେ। ଏହାକୁ ଛାଡ଼ି ସେ ଏବେ ଗ୍ରାମାଞ୍ଚଳରେ ରୋଗୀ ସେବାରେ ଲାଗିଛନ୍ତି। କିଡ୍‌ନୀ ଡାଏଲିସିସ କରୁଛନ୍ତି ଓ ତାହା ପୁଣି ଅଧା ଦାମ୍‌ରେ। କିଡ୍‌ନୀ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦେବା ଲାଗି ସେ ୨୦୧୯ରେ ଦି ରିନାଲ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ମୁଖ୍ୟତଃ ଦ୍ୱିତୀୟ ଏବଂ ତୃତୀୟ ସ୍ତରରେ ଥିବା କିଡ୍‌ନୀ ରୋଗୀଙ୍କ ପାଇଁ ଏହି ସେବା ଉପଲବ୍ଧ ହେଉଛି। ଲକ୍‌ଡାଉନ ସମୟରେ ଡାଏଲିସିସ ପାଇଁ ସମସ୍ୟାରେ ଥିବା ରୋଗୀମାନଙ୍କ ଲାଗି ସେ ଦେବଦୂତ ସାଜିଥିଲେ । ୩୯ ବର୍ଷୀୟ ଶଶାଙ୍କ ୟୁନିଭର୍ସିଟି ଅଫ ଟେକ୍ସାସରେ ବାୟୋମେଡିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ସେଠାରେ ବକ୍ସର ଇଣ୍ଟରନ୍ୟାଶନାଲରେ କାର୍ଯ୍ୟ କରୁଥିଲେ। ଏବେ କିଡ୍‌ନୀ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କୁ ସେବା ଯୋଗାଇ ଦେବାରେ ଆର୍ଥିକ ସମସ୍ୟା ଉପୁଜିଥିଲେ ବି ସେ ରୋଗୀମାନଙ୍କଠାରୁ ଗ୍ରହଣ କରୁଥିବା ଅଧା ଫି’ରେ ସବୁ ଖର୍ଚ୍ଚ ତୁଲାଉଛନ୍ତି। ଶଶାଙ୍କଙ୍କୁ ନେଫ୍ରୋଲୋଜିଷ୍ଟ ଡା. ଧନଞ୍ଜୟ ଓକଲ୍‌କର ସହଯୋଗ କରୁଛନ୍ତି। ପ୍ରାୟ ୫୦% ରୋଗୀ ମୁମ୍ବାଇଠାରୁ ୧୦୦କି.ମି. ଦୂରରେ ରହିଛନ୍ତି। ସେମାନଙ୍କୁ ବି ସେ ନିୟମିତ ସେବା ଯୋଗାଇ ଆସୁଛନ୍ତି। କେବଳ ମୁମ୍ବାଇର ଆଖପାଖ ଗ୍ରାମାଞ୍ଚଳ ନୁହେଁ, ବରଂ ଠାଣେ, ପୁଣେ, ନାସିକ, ନାଗପୁରର ସହରତଳି ଅଞ୍ଚଳର ରୋଗୀମାନେ ତାଙ୍କ ଦ୍ୱାରା ଉପକୃତ ହେଉଛନ୍ତି। ଏବେ ୨୦ଟି କେନ୍ଦ୍ରରେ ଶତାଧିକ ରୋଗୀଙ୍କ ଡାଏଲିସିସ କରାଯାଉଥିବାବେଳେ ଆଗକୁ ୧୦୦୦ କେନ୍ଦ୍ରରେ ୧୦,୦୦୦ ରୋଗୀଙ୍କ ପାଇଁ ଉକ୍ତ ସେବା ଉପଲବ୍ଧ କରାଇବାର ଯୋଜନା ରଖିଛନ୍ତି ଶଶାଙ୍କ।