ଏଇ ଭାରତରେ

ପ୍ରଶାସନିକ କାର୍ଯ୍ୟର ବ୍ୟସ୍ତତା ମଧ୍ୟରେ ଅଦରକାରୀ ପ୍ଲାଷ୍ଟିକ ବୋତଲରେ ଏକ ପାଇଖାନା ନିର୍ମାଣ କରିବାରେ ଆସାମର ଆଇଏଏସ୍‌ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ଏମ.ଏସ୍‌ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପାଇଖାନା ନିର୍ମାଣ ହୋଇଛି ୫୦୦ ଏବଂ ୧ ଲିଟର ବିଶିଷ୍ଟ ୮,୦୦୦ରୁ ଅଧିକ ପ୍ଲାଷ୍ଟିକ ବୋତଲରେ। ବେଙ୍ଗାଇଗାଓଁ ଜିଲାର ଡେପୁଟି କମିଶନର ତଥା ୨୦୧୪ ବ୍ୟାଚ୍‌ ଆଇଏଏସ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ପବ୍ଲିକ ହେଲ୍‌ଥ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ( ପିଏଚ୍‌ଇଡି)ର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଶାନ୍ତନୁ ସୂତ୍ରଧରଙ୍କ ସହଯୋଗରେ ଏହା ନିର୍ମାଣ କରିଛନ୍ତି। ଏହି ବୋତଲଗୁଡ଼ିକରେ ବାଲି, ସିମେଣ୍ଟ, ପୁଟି ଏବଂ ମୋର୍ଟାର ଭର୍ତ୍ତି କରି ତାହା ଟାଣହେବା ପରେ ବ୍ୟବହାର କରାଯାଇଛି। ଏହା ଇଟାର ବିକଳ୍ପ ହୋଇପାରିଛି। ୧୭ ଫୁଟ ଲମ୍ବା ଓ ୯ ଫୁଟ ଚଉଡ଼ାରେ ନିର୍ମିତ ଏହି ପାଇଖାନାର କାନ୍ଥ ଏବଂ ସିଲିଂ ପ୍ଲାଷ୍ଟିକ ବୋତଲରେ ଗଢ଼ାହୋଇଛି। ଏହାକୁ ଦୁଇଭାଗରେ ବିଭକ୍ତ କରାଯାଇଛି ଏବଂ ଏଥିରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ୧୦ଫୁଟରେ ୮ଫୁଟର ଏକ ପାଇଖାନା ନିର୍ମାଣ କରିବା ପାଇଁ ୪ ହଜାର ପ୍ଲାଷ୍ଟିକ ବୋତଲ ଆବଶ୍ୟକ ଓ ଏହାକୁ ନିର୍ମାଣ କରିବା ପାଇଁ ଦେଢ଼ରୁ ଦୁଇ ମାସ ସମୟ ଲାଗିବ ବୋଲି କହିଛନ୍ତି ଲକ୍ଷ୍ମୀପ୍ର୍ରିୟା। ଏହାବାଦ୍‌ ଲକ୍ଷ୍ମୀପ୍ରିୟା ବେଙ୍ଗାଇଗାଓଁ ଟାଉନ ରାସ୍ତାରେ ୧,୫୦୦ ସୋଲାର ଲାଇଟ୍‌ ଲଗାଇଛନ୍ତି।