ଏଇ ଭାରତରେ

ପରିଣତ ବୟସରେ ଜଣେ ଦିବ୍ୟାଙ୍ଗ ପରିବେଶକୁ କେତେ ଭଲ ପାଆନ୍ତି ତାହା ତାଙ୍କ କଥା ନୁହେଁ, କାର୍ଯ୍ୟରୁ ହିଁ ଜଣାପଡ଼େ, ଯାହା କରୁଛନ୍ତି କେରଳର ଏନ୍‌.ଏସ୍‌. ରାଜାପ୍ପାନ। କୋଟ୍ଟାୟାମର ମନିଆନିକ୍କରୀ ନିବାସୀ ରାଜାପ୍ପାନଙ୍କୁ ବର୍ତ୍ତମାନ ବୟସ ୬୯। ୫ ବର୍ଷ ହେବ ସେ ଭେମ୍ବନାଦ ହ୍ରଦକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି। ତାଙ୍କର ନିଜସ୍ବ ଡଙ୍ଗା ନାହିଁ, ତଥାପି ଭଡ଼ାରେ ଡଙ୍ଗା ନେଇ ସେ କାର୍ଯ୍ୟରେ ଲାଗିଛନ୍ତି। ପ୍ରତିଦିନ ସକାଳୁ ସେ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରିବା ଲାଗି ହ୍ରଦରେ ବୁଲନ୍ତି ଓ ସନ୍ଧ୍ୟାବେଳକୁ ତାହାକୁ ଏକ ସ୍ଥାନୀୟ ଏଜେନ୍ସିକୁ ବିକ୍ରି କରିଦିଅନ୍ତି। ଯାହା ଆୟ ହୁଏ ତାହା ତାଙ୍କ ଗୁଜୁରାଣ ମେଣ୍ଟାଇବାକୁ ନିଅଣ୍ଟ। କିନ୍ତୁ ପରିବେଶପ୍ରେମୀ ରାଜାପ୍ପାନ ଏଥିରୁ ଓହରି ନାହାନ୍ତି। ଡଙ୍ଗାଏ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କଲେ ବି ଡଙ୍ଗାଭଡ଼ା ଦେବାପରେ ଯାହା ମିଳେ ସେଥିରେ ସେ ଚଳିବା କଷ୍ଟକର ହୋଇଥାଏ। ରୋଜଗାର ନୁହେଁ, ପ୍ରଦୂଷଣମୁକ୍ତ ହ୍ରଦ ତାଙ୍କୁ ଆନନ୍ଦ ଦିଏ ବୋଲି କହନ୍ତି ରାଜାପ୍ପାନ। ୫ ବର୍ଷ ବୟସ ହୋଇଥିବା ବେଳେ ସେ ପୋଲିଓ ଆକ୍ରାନ୍ତ ହୋଇ ଚାଲିବା ଶକ୍ତି ହରାଇଥିଲେ। ସେ ଏକ ଛୋଟ ଘରେ ଏକୁଟିଆ ରହୁଛନ୍ତି। କୋଭିଡ୍‌-୧୯ ମହାମାରୀରେ ପର୍ଯ୍ୟଟକଙ୍କ ସଂଖ୍ୟା ପୂରା କମିଯାଇଛି ଓ ହ୍ରଦ ପ୍ରଦୂଷଣ ବି ହ୍ରାସ ପାଇଛି। ଯାହାକୁ ନେଇ ସେ ଖୁବ୍‌ ଖୁସି ବୋଲି କୁହନ୍ତି ।