ଏଇ ଭାରତରେ

ଜମ୍ମୁ-କଶ୍ମୀରର ସାହସିନୀ ମହିଳା ଆଲିଆ ମୀର। ସେ ଶିକ୍ଷକତା ଛାଡ଼ି ପ୍ରାଣୀ ସୁରକ୍ଷାରେ ଲାଗିଛନ୍ତି। ରହନ୍ତି ଶ୍ରୀନଗରରେ। ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ଓ ବି.ଏଡ୍‌. ଶେଷ କରିବା ପରେ ଗଣିତ ଶିକ୍ଷୟିତ୍ରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ବିବାହ କରିବା ପରେ ୨୦୦୨ରେ ଶିକ୍ଷକ ଚାକିରି ଛାଡ଼ି ସେ ଆହତ ତଥା ଅସୁରକ୍ଷିତ ପ୍ରାଣୀମାନଙ୍କୁ ଉଦ୍ଧାର କରିଆସୁଛନ୍ତି। ଲୋକମାନଙ୍କ ଘରୁ ବିଷାକ୍ତ ସାପ ଉଦ୍ଧାର କରୁଛନ୍ତି। ଏହାସହ ପରିତ୍ୟକ୍ତ ଭାଲୁ ଛୁଆମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଯନତ୍ ନେଉଛନ୍ତି ଓ ପରେ ପୁଣି ସେମାନଙ୍କ ମା’ ପଖରେ ଛାଡୁଛନ୍ତି। ବିପଦରେ ପଡୁଥିବା ଚିତାବାଘମାନଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡୁଛନ୍ତି ଆଲିଆ। ଏହି କାର୍ଯ୍ୟ ଲାଗି ସେ ଏକ ଟିମ୍‌ ଗଢ଼ିଛନ୍ତି। ପ୍ରାଣୀମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କର ଚିକିତ୍ସା ଓ ଥଇଥାନର ବ୍ୟବସ୍ଥା ଓ୍ବାଇଲ୍ଡଲାଇଫ ଏସ୍‌ଓଏସ୍‌ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ମାଧ୍ୟମରେ କରୁଛନ୍ତି। ଗତ ୩ ବର୍ଷ ମଧ୍ୟରେ ଆଲିଆ ଏବଂ ତାଙ୍କ ଟିମ୍‌ ୨ଟି ଚିତାବାଘ, ୨ଟି କଇଁଛ, ୩ଟି ଭାଲୁ, ୬ଟି ମାଙ୍କଡ଼, ୧୬ଟି ଶିକାରୀ ପକ୍ଷୀ ଏବଂ ୮୮ଟି ସାପ ଉଦ୍ଧାର କରିଛନ୍ତି। ସେ ମଧ୍ୟ ଶାଗୁଣା ସୁରକ୍ଷାରେ ଲାଗିଛନ୍ତି। ସ୍ଥାନୀୟ ବନ ବିଭାଗ ସହଯୋଗରେ ପ୍ରାଣୀ ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରୁଛନ୍ତି।