ଏଇ ଭାରତରେ

ଜୀବନର ନିଶା କାହାର କେମିତି ଥାଇପାରେ, କିନ୍ତୁ ୮୪ ବର୍ଷୀୟ କାମେଗୌଡାଙ୍କ ନିଶା ସମ୍ପୂର୍ଣ୍ଣ ଭିନ୍ନ। ସେ ପୋଖରୀ ଖୋଳିବାରେ ଆନନ୍ଦ ପାଆନ୍ତି। କାମେଗୌଡାଙ୍କ ଘର କର୍ନାଟକ ମନ୍ଦ୍ୟା ଜିଲା ଦାସନାଡୋଡି ଗାଁରେ। କୁଣ୍ଡିନିବେଟା ପାହାଡ଼ ପାଦଦେଶରେ ରହିଥିବା ଏହି ଗାଁ ସମେତ ପୂରା ଅଞ୍ଚଳରେ ବର୍ଷସାରା ଜଳ ସଙ୍କଟ ଲାଗି ରହେ। ବର୍ଷାଦିନେ ବି କମ୍‌ ବର୍ଷା ହୋଇଥାଏ। ଜଳ ସଙ୍କଟ ଦୂର କରିବା ଲାଗି କାମେଗୌଡା ତାଙ୍କ ଗାଁ ଓ ଆଖପାଖ ଅଞ୍ଚଳରେ ଏକୁଟିଆ ୧୬ଟି ପୋଖରୀ ଖୋଳିଛନ୍ତି। ଏହା ଯୋଗୁ ତାଙ୍କ ଅଞ୍ଚଳରେ କେବେ ବି ଜଳ ସଙ୍କଟ ଦେଖାଯାଉନି। ସେ ଜଣେ କ୍ଷୁଦ୍ର ଚାଷୀ ଓ ମେଣ୍ଢା ପାଳିଛନ୍ତି। ପ୍ରତିଦିନ ମେଣ୍ଢା ଚରାଇବା ପାଇଁ ପାହାଡ଼କୁ ଯାଉଥିବା ସମୟରେ ଜୀବଜନ୍ତୁମାନେ ପିଇବାକୁ ପାଣି ପାଉ ନ ଥିବା ଲକ୍ଷ୍ୟ କରିବା ପରେ ସେ ପୋଖରୀ ଖୋଳିବା ଆରମ୍ଭ କରିଥିଲେ । ଆଦୌ ସ୍କୁଲ ଦୁଆରମୁହଁ ମାଡି ନ ଥିବା କାମେଗୌଡା ଯାହା ହାସଲ କରିଛନ୍ତି ସେଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ‘ମନ କି ବାତ୍‌’ରେ ପ୍ରଶଂସା କରିଛନ୍ତି। ତାଙ୍କୁ ଲେକ୍‌ ମ୍ୟାନ ବା ହ୍ରଦ ମଣିଷ ବୋଲି କୁହାଯାଉଛି। ସେ ବଡିଭୋରରୁ ଘରୁ ବାହାରି ଯାଆନ୍ତି ଓ ପୋଖରୀ ଖୋଳି ସନ୍ଧ୍ୟାରେ ଫେରନ୍ତି। ପୋଖରୀ ଖୋଳିବା ପାଇଁ ଆବଶ୍ୟକ ଯନ୍ତ୍ରପାତି କିଣିବାରେ ନିଜ ପକେଟରୁ ବ୍ୟୟ କରନ୍ତି। କେବଳ ସେ ପୋଖରୀ ଖୋଳିଛନ୍ତି ତାହା ନୁହେଁ, ଏହାର ଚାରିପାଖରେ ବିଭିନ୍ନ ପ୍ରକାର ଗଛ ବି ଲଗାଇଛନ୍ତି। ପୋଖରୀକୁ ସେ ତାଙ୍କ ପରିବାର ସଦସ୍ୟ ବୋଲି ମନେକରନ୍ତି ଓ କେତୋଟିର ନାମ ତାଙ୍କ ନାତି ନାତୁଣୀଙ୍କ ନାମରେ ନାମିତ କରିଛନ୍ତି।