ଏଇ ଭାରତରେ

ପୁରୁଣା ଆମ୍ବାସାଡର କାର୍‌ ଏବେ ଅଲୋଡ଼ା ହୋଇଗଲାଣି। କିନ୍ତୁ ତା’ଇଞ୍ଜିନକୁ ପୁନଃ ଉପଯୋଗ କରି ଏକ ଓ୍ବିଡ୍‌ ରିମୁଭର (ଘାସ ବା ଦଳ ସଫା କରୁଥିବା ଯନ୍ତ୍ର) ନିର୍ମାଣ କରିଛନ୍ତି ବେଙ୍ଗାଲୁରୁର ମତ୍ସ୍ୟଜୀବୀ ଅରକ୍ଷସ୍ବାମୀ ଶମାନ୍ନା। ଏହି ମେଶିନ୍‌ରେ ଅନ୍ୟ ପାର୍ଟ ସବୁ ବର୍ଜ୍ୟରୁ ତିଆରି କରାଯାଇଛି। ସେ ଏହା ସାହାଯ୍ୟରେ ହବ୍ବଲ ହ୍ରଦ ସଫା କରିବା ସହ ୧୦୦ ପରିବାରର ଜୀବିକା ପୁଣି ଫେରାଇବାରେ ସକ୍ଷମ ହୋଇଛନ୍ତି। ୧୫୦ ଏକର ବିଶିଷ୍ଟ ଏହି ହ୍ରଦ ବେଙ୍ଗାଲୁରୁର ସବୁଠୁ ପୁରୁଣା । କଲିକତି ଦଳ ବଢ଼ି ଏହାର ପାଣିର ମାନ ଖରାପ କରିଦେଉଥିଲା। କିନ୍ତୁ ଶମାନ୍ନାଙ୍କ ଓ୍ବିଡ୍‌ ରିମୁଭର ଏବେ ଏହି ଦଳ ଓ ଘାସ ସବୁ ସଫା କରିବା ଦ୍ୱାରା ମତ୍ସ୍ୟଜୀବୀମାନେ ହ୍ରଦର ଚାରିପାଖକୁ ଡଙ୍ଗାରେ ଯାଇ ମାଛ ଧରୁଛନ୍ତି। ସେ ଦୁଇ ମାସରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହାକୁ ନିର୍ମାଣ କରିଛନ୍ତି। ଏହି ମେଶିନ ଦିନକୁ ହ୍ରଦର ୩-୪ ଏକର ପର୍ଯ୍ୟନ୍ତ ଦଳ ସଫା କରିପାରୁଛି। ଶମାନ୍ନାଙ୍କ ଏହି ଉଦ୍ଭାବନକୁ ମତ୍ସ୍ୟ ବିଭାଗ ଦେଖିବା ପରେ ଏହାକୁ କୃଷକ ଓ ଛାତ୍ରମାନଙ୍କୁ ପ୍ରଦର୍ଶିିତ କରିବା ଲାଗି ଯୋଜନା କରିଛି । କମ୍‌ ଖର୍ଚ୍ଚ ଓ କମ୍‌ ସମୟରେ ଦଳ ସଫା କରୁଥିବା ଏଭଳି ମେଶିନ୍‌ ନିର୍ମାଣ କରିବା ଲାଗି ରେଭା ୟୁନିଭର୍ସିଟିର ଛାତ୍ରମାନେ ଶମାନ୍ନାଙ୍କଠାରୁ ଏହାର ନିର୍ମାଣ କୌଶଳ ଶିକ୍ଷା କରିଛନ୍ତି।