ଏଇ ଭାରତରେ

ଯଦି ଭାବୁଛନ୍ତି ମୁକ୍ତା କେବଳ ସାମୁଦ୍ରିକ ଶାମୁକାରୁ ମିଳେ ତେବେ ତାହା ଭୁଲ ବୋଲି ପ୍ରମାଣ କରିପାରିଛନ୍ତି କେରଳର କେ.ଜେ. ମାଥାଚାନ। ସେ ତାଙ୍କ ଅଗଣାରେ କୁଣ୍ଡଗୁଡ଼ିକରେ ମଧୁର ଜଳ ଶାମୁକାରୁ ମୁକ୍ତା ପାଇପାରୁଛନ୍ତି ଓ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ମାଥାଚାନଙ୍କୁ ବର୍ତ୍ତମାନ ବୟସ ୬୫। ପଶ୍ଚିମଘାଟ ପର୍ବତମାଳାରୁ ବାହାରି ମହାରାଷ୍ଟ୍ରରେ ପ୍ରବାହିତ ନଦୀଗୁଡ଼ିକରୁ ସେ ଶାମୁକାଗୁଡିକୁ ସଂଗ୍ରହ କରୁଛନ୍ତି। ମୁକ୍ତାକୁ ଅଷ୍ଟ୍ରେଲିଆ, ସୌଦିିଆରବ, କୁଏତ ଏବଂ ସ୍ବିଜରଲାଣ୍ଡକୁ ରପ୍ତାନି କରୁଛନ୍ତି। ମାଥାଚାନ ସୌଦିିଆରବର କିଙ୍ଗ ଫାଦ୍‌ ୟୁନିଭର୍ସିଟି ଅଫ୍‌ ପେଟ୍ରୋଲିୟମ୍‌ ଆଣ୍ଡ୍‌ ମିନେରାଲ୍‌ସରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ପରେ ଚାକିରି ଛାଡି ଚାଇନା ଯାଇ ସେଠାରୁ ମୁକ୍ତା ଚାଷ ଉପରେ ୬ ମାସିଆ ଡିପ୍ଲୋମା କରିବା ପରେ ୧୯୯୯ରେ ଏହି ଚାଷ ଆରମ୍ଭ କରିଥିଲେ। ପ୍ରଥମେ ସେ ଏହି ଚାଷରେ ଦେଢ ଲକ୍ଷ ଟଙ୍କା ଖଟାଇ ବର୍ଷକ ମଧ୍ୟରେ ୪.୫ଲକ୍ଷ ଟଙ୍କା ମୂଲ୍ୟର ମୁକ୍ତା ପାଇଥିଲେ ଓ ଖର୍ଚ୍ଚ ବାଦ୍‌ ଲାଭ ପାଇଥିଲେ ୩ ଲକ୍ଷ ଟଙ୍କା। ଦୀର୍ଘ ୨୧ ବର୍ଷ ହେବ ମୁକ୍ତା ଚାଷ କରିବା ସହ ସ୍ଥାନୀୟ ଲୋକମାନଙ୍କୁ ଏହି ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। କେରଳର ବହୁ ଛାତ୍ର ତଥା କର୍ନାଟକ ମତ୍ସ୍ୟ ବିଭାଗର କର୍ମଚାରୀମାନେ ତାଙ୍କ ଫାର୍ମ ପରିଦର୍ଶନରେ ଆସୁଛନ୍ତି ଓ ତାଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ବେଙ୍ଗାଲୁରସ୍ଥିତ କୃଷିବିଜ୍ଞାନ ମହାବିଦ୍ୟାଳୟରେ ବି ସେ ଏ ବିଷୟରେ ଛାତ୍ରମାନଙ୍କୁ ଶିକ୍ଷା ଦେଉଛନ୍ତି। ଏବେ ଲକ୍‌ଡାଉନ ଯୋଗୁ ଅନ୍‌ଲାଇନ କ୍ଲାସ ଆରମ୍ଭ କରିଛନ୍ତି।