ଏଇ ଭାରତରେ

ଛୋଟ ଗାଁଟିଏ, ହେଲେ ତା’ର ପକ୍ଷୀ ସୁରକ୍ଷା ଚିନ୍ତା ବେଶ୍‌ ପ୍ରେରଣାଦାୟକ। ଏମିତିକା ଗାଁ ହେଉଛି ତାମିଲନାଡୁର ପୋଥାକୁଡି। ଶିବଗଙ୍ଗା ଜିଲାର ଏହି ଗାଁକୁ ଆସିଥିବା ଗୋଟିଏ ଇଣ୍ଡିଆନ୍‌ ରବିନ ବାର୍ଡର ସୁରକ୍ଷା ପାଇଁ ୪୦ ଦିନ ହେବ ସବୁ ଷ୍ଟ୍ରିଟ୍‌ ଲାଇଟ୍‌ ବନ୍ଦ ରଖାଯିବା ଘଟଣା ସାମ୍‌ନାକୁ ଆସିଛି। ଏହି ଗାଁରେ ରାସ୍ତାର ଦୁଇ ପାଖରେ ପାଖାପାଖି ଶହେ ଘର ରହିଛି। ଗାଁ ରାସ୍ତାରେ ମୋଟରେ ୩୫ଟି ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଛି ଓ ଏହାର ମେନ୍‌ ସୁଇଚ୍‌ ଗାଁ ଶେଷରେ କାରପ୍ପୁ ରାଜ ନାମକ ବ୍ୟକ୍ତିଙ୍କ ଘର ପାଖରେ ରହିଛି। ଏହାକୁ ସେ ପ୍ରତିଦିନ ସନ୍ଧ୍ୟା ୬ଟାରେ ଅନ୍‌ କରି ସକାଳ ୫ଟାରେ ଅଫ୍‌ କରିଥାନ୍ତି। କିନ୍ତୁ ପକ୍ଷୀଟି ମେନ୍‌ ସୁଇଚ୍‌ ବୋର୍ଡ ଉପରେ ବସା କରି ଅଣ୍ଡା ଦେଉଥିବା ଦେଖି ଏ ବିଷୟରେ ସେ ସରପଞ୍ଚ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ। ହ୍ବାଟ୍ସଆପ୍‌ରେ ଏହାର ଫଟୋ ଶେୟାର କରି ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ବି ଅବଗତ କରିଥିଲେ।
ପ୍ରତିଦିନ ଷ୍ଟ୍ରିଟ୍‌ ଲାଇଟ୍‌ ସୁଇଚ୍‌ ଅନ୍‌ଅଫ୍‌ କରିବା ଦ୍ୱାରା ପକ୍ଷୀଟିର ଜୀବନ ଧାରାରେ ବାଧା ଆସିବ ବୋଲି ଜାଣିବା ପରେ ସରପଞ୍ଚ ତଥା ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ରାସ୍ତା ଆଲୁଅ ବନ୍ଦ କରିଦିଆଯାଇଛିି। ଗ୍ରାମର କେହି ମଧ୍ୟ ପକ୍ଷୀର ବସା ପାଖକୁ ଯାଉନାହାନ୍ତି। ପକ୍ଷୀ ଛୁଆ ନେଇ ଉଡ଼ିଗଲା ପରେ ପୁଣି ରାସ୍ତାରେ ଆଲୁଅ ଜଳିବ ବୋଲି ସରପଞ୍ଚ କହିଛନ୍ତି।