ଏଇ ଭାରତରେ

ଶିକ୍ଷା କେବଳ ପୋଥିଗତ ବିଦ୍ୟାରେ ସୀମିତ ନୁହେଁ। କିଛି ନୂଆ ବିଷୟରେ ଜାଣିବା ଓ ଅଭିଜ୍ଞତା ହାସଲ କରିବା ଶିକ୍ଷାର ବି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ଚେନ୍ନାଇର ଇ-ଜୋନ୍‌ କମ୍ପାନୀ କରୁଛି। ଏହା ସ୍କୁଲ ପିଲାଙ୍କ ପାଇଁ ପରିବେଶଗତ ସଚେତନତା ଓ ପ୍ରୋଜେକ୍ଟ ଉପରେ ଜୋର୍‌ ଦେଉଛି। ଇ-ଜୋନ କୋଭିଡ୍‌ ୧୯ ସଂକ୍ରମଣ ସମୟରେ ପିଲାମାନଙ୍କ ପାଇଁ ‘ବିକମ୍‌ ଏ ଲିଟଲ ଫାର୍ମର’ ବା ‘ ଜଣେ ଛୋଟ ଚାଷୀ ହୁଅ’ ଅଭିଯାନ ଆରମ୍ଭ କରିଛି। ମାଇକ୍ରୋଗ୍ରୀନ (ସାଲାଡ୍‌ରେ ବ୍ୟବହାର ହେଉଥିତ୍ବା ପରିବା ଓ ପତ୍ର ଜାତୀୟ ଉଦ୍ଭିଦ) ଚାଷ କରୁଥିବା ପିଲାମାନଙ୍କର ଏହା ଏକ ନେଟଓ୍ବର୍କ। ଦେଶରେ ଏବେ ୨୦୦୦ରୁ ଊର୍ଦ୍ଧ୍ୱ ପିଲା ମାଇକ୍ରୋଗ୍ରୀନ କୃଷକ ହୋଇପାରିଛନ୍ତି। ଇ-ଜୋନ୍‌ର ୧୫ ଦିନିଆ ଅଭିଯାନରେ ଏହି ସଫଳତା ମିଳିପାରିଛି। ଏହି କମ୍ପାନୀର ମୁଖ୍ୟ ହାଫିଜ ଖାନ ଏଭଳି ପ୍ରୋଗ୍ରାମ୍‌ ୧୪ ବର୍ଷ ତଳେ ଆରମ୍ଭ କରି ଏହା ଅଧୀନରେ କମ୍ୟୁନିଟି ଅଭିଯାନ ମାଧ୍ୟମରେ ଚେନ୍ନାଇର ସ୍କୁଲଗୁଡିକରେ ପରିବେଶଗତ ଶିକ୍ଷା ପ୍ରଦାନ କରୁଥିଲେ। କିନ୍ତୁ କୋଭିଡ୍‌-୧୯ ସଂକ୍ରମଣ ସମୟରେ ପିଲାମାନେ କିଭଳି ବାଲକୋନି ଓ ଝରକା ପାଖରେ ମାଇକ୍ରୋଗ୍ରୀନ ଚାଷ କରିପାରିବେ ସେ ସମ୍ବନ୍ଧରେ ଅନ୍‌ଲାଇନରେ ଶିକ୍ଷା ଦେଉଛନ୍ତି। ପ୍ରତିଦିନ ଦିବା ଘ୧୦.୩୦ ଓ ଘ୪.୩୦ରେ ପିଲାମାନେ ଶିକ୍ଷା ନେଉଛନ୍ତି। ଏବେସୁଦ୍ଧା ସେ ୧୮ଟି ବ୍ୟାଚକୁ ଶିକ୍ଷା ଦେଇସାରିଛନ୍ତି। ପ୍ରତି ବ୍ୟାଚରେ ୮୦ରୁ ୧୨୦ ପିଲା ରହୁଛନ୍ତି। ଚାଷ ସମ୍ପର୍କରେ ପିଲାମାନଙ୍କୁ ସହଜ ଭିଡିଓ ଶେୟାର କରୁଛନ୍ତି। ପିଲାମାନେ ଏବେ ଛୋଟ କୁଣ୍ଡ, ଆଇସକ୍ରିମ ଖୋଳ, ପ୍ଲାଷ୍ଟିକ୍‌ ବୋତଲରେ ମାଇକ୍ରୋଗ୍ରୀନ୍‌ ଉତ୍ପାଦନ କରୁଛନ୍ତି।