ଏଇ ଭାରତରେ

ଗାଁର ଜଣେ ସାଧାରଣ ଯୁବକ ହେଲେ ବି ତାଙ୍କ ଅସାଧାରଣ ପ୍ରତିଭା ଅନେକଙ୍କୁ ବିସ୍ମିତ କରିଛି। ତେଲଙ୍ଗାନାର ଏହି ଯୁବକ ଜଣକ ହେଉଛନ୍ତି ୩୦ ବର୍ଷୀୟ ରାଜୁ ମୁପ୍ପାରୁପୁ। ରହନ୍ତି ଓ୍ବାରଙ୍ଗଲ ଜିଲାର ଗୋପାଳପୁରମ ଗାଁରେ। ଏବେ ସେ ମକା ଉପରେ ଥିବା ଖୋଳପାରୁ କଲମ ତିଆରି କରିଛନ୍ତି। ଏହା ପୂର୍ବରୁ ସେ ରାସ୍ତାକଡ ଲାଇଟ ପାଇଁ ସେନସର ଓ ବ୍ୟାଟେରିଚାଳିତ ସାଇକେଲ ନିର୍ମାଣ କରିସାରିଛନ୍ତି। ଏହି ପରିବେଶ ଉପଯୋଗୀ କଲମ ହେଉଛି ତାଙ୍କ ତୃତୀୟ ଆବିଷ୍କାର। ଚାଷୀମାନେ ମକା ଉପରୁ ଖୋଳପା ଛଡାଇ ତାଙ୍କୁ ପୋଡିବା ଦ୍ୱାରା ପରିବେଶ ପ୍ରଦୂଷଣ ହୁଏ। ଏହାକୁ ରୋକିବା ପାଇଁ ରାଜୁ ଖୋଳପାର ଉପଯୋଗ କରି କଲମ ତିଆରି କରିବା ଆରମ୍ଭ କରିଛନ୍ତି। ମକା ଖୋଳପାରୁ ନିର୍ମିତ କଲମ ମଧ୍ୟ ପ୍ଲାଷ୍ଟିକ କଲମ ବ୍ୟବହାର କମାଇବ ଓ ଏହା ଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବ ବୋଲି କହନ୍ତି ରାଜୁ। ସେ ଆଖପାଖରୁ ମକା ଖୋଳପା ସଂଗ୍ରହ କରି ତାକୁ ସଫା କରୁଛନ୍ତି ଓ ଏକ ଲୁହା ରଡରେ ତାକୁ ଗୁଡାଇ ଅଠା ଲଗାଇ ସିଲିଣ୍ଡର ଆକାରର କରୁଛନ୍ତି। ପରେ ସମାନ ମାପରେ କାଟି ଗୋଟିଏ ପାର୍ଶ୍ୱରେ ରିଫିଲ ସେଟ୍‌ କରୁଛନ୍ତି। ମକା ଖୋଳପାରେ ମଧ୍ୟ କଲମ ପାଇଁ କ୍ୟାପ ପ୍ରସ୍ତୁତ ହେଉଛି। ୧୦ ମିନିଟ୍‌ରେ ସେ ଗୋଟିଏ କଲମ ତିଆରି କରୁଛନ୍ତି।
ଏହି କଲମକୁ ଓ୍ବାରଙ୍ଗଲ ଗ୍ରେଟର ମ୍ୟୁନିସିପାଲ କର୍ପୋରେଶନ କମିଶନର ପ୍ରମିଳା ଶତପଥୀଙ୍କୁ ରାଜୁ ଉପହାର ଦେବା ପରେ ସେ ତାଙ୍କ ଅଫିସ ଲାଗି ୧୦୦ ଟି କଲମ ଅର୍ଡର ଦେଇଛନ୍ତି। ଗୋଟିଏ କଲମର ଦାମ ୧୦ ଟଙ୍କା। ରାଜୁ ୧୦୦ ଟି କଲମ ଏବେ ସୁଦ୍ଧା ଦେଇ ସାରିଲେଣି ଓ ଆଉ ୯୦୦ କଲମ କାମ ଜାରି ରଖିଛନ୍ତି। ତେଲଙ୍ଗାନା ଷ୍ଟେଟ ଇନୋଭେଶନ ସେଲ ରାଜୁଙ୍କ ଏହି କଲମକୁ ମଧ୍ୟ ପ୍ରଶଂସା କରିଛନ୍ତି।