ଏଇ ଭାରତରେ

ପିଲାଦିନେ ଦୁଃଖ କଷ୍ଟ ସହିଥିବା ବ୍ୟକ୍ତି ହିଁ ଦୁଖୀ ଓ ଅସହାୟଙ୍କ ପେଟ କଥା ଚିନ୍ତା କରିପାରନ୍ତି, ଯାହା କରୁଛନ୍ତି ଦିଲ୍ଲୀର ସରିତା କଶ୍ୟପ। ନିଜ ରୋଜଗାରର ସିଂହଭାଗ ବ୍ୟୟକରି ସେ ଗୃହହୀନ, ଜରିଗୋଟାଳି ଏବଂ ଭୋକିଲା ପିଲାଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ସରିତାଙ୍କ ବୟସ ୪୩। ପିଲାଦିନେ ତାଙ୍କ ଘରପାଖ ଗୁରୁଦ୍ୱାରା ଲଙ୍ଗରେ ଲୋକମାନଙ୍କୁ ଖାଇବାକୁ ଦିଆଯିବା ଦେଖିବା ପରେ ସେ ମଧ୍ୟ ଏଭଳି କାର୍ଯ୍ୟ କରିବାକୁ ବିଚାର କରିଥିଲେ। ପଢ଼ାଶେଷ ପରେ ଘର ଚଳାଇବା ଲାଗି ସେ ଅଟୋମୋବାଇଲ ସେଲ୍ସମ୍ୟାନ ଭାବେ ଚାକିରି କରିଥିତ୍ଲେ । ହେଲେ ଗରିବଙ୍କୁ ଭୋଜନ ଦେବା ପାଇଁ ୨୦୧୯ରେ ତାହା ଛାଡିଦେଇ ସେବେଠାରୁ ଏହି ସେବା ଜାରି ରଖିଛନ୍ତି। ସିଙ୍ଗଲ୍‌ ମଦର ଭାବେ ସରିତା ବଡିଭୋରରୁ ଉଠି ରାଜମା ଓ ରାଇସ ଖାଦ୍ୟ ପ୍ରସ୍ତୁତ କରି ନିଜ ସ୍କୁଟରରେ ତାହାକୁ ଦିଲ୍ଲୀର ପୀରଘଡ଼ିରେ ଥିବା ତାଙ୍କ ‘ଆଣ୍ଟି ଷ୍ଟଲ୍‌’କୁ ନିଅନ୍ତି। ସେ ୬୦% ଖାଦ୍ୟ ଲୋକମାନଙ୍କୁ ବିକ୍ରି କରିବା ପରେ ଆଉ ୪୦% ଗୃହହୀନ ଓ ଭୋକିଲା ପିଲାମାନଙ୍କୁ ଖାଇବାକୁ ଦିଅନ୍ତି। ଫୁଲ୍‌ ପ୍ଲେଟ୍‌କୁ ୬୦ ଟଙ୍କାରେ ବିକି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇ ଅସହାୟମାନଙ୍କୁ ମାଗଣାରେ ଖାଇବାକୁ ଦେବାରେ ଖର୍ଚ୍ଚ କରିଥାଆନ୍ତି ସରିତା।