ଏଇ ଭାରତରେ

ଚାକିରି ଛାଡ଼ି ଅନ୍ୟମାନଙ୍କୁ ରୋଜଗାର ଦେବାର ଲକ୍ଷ୍ୟ ନେଇ ଭିନ୍ନ ପେସା ଆପଣାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗୁଜରାଟର ପ୍ରତୀକ ଘୋଡ ଅନ୍ୟତମ। ସେ ୧୪ ବର୍ଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିବା ପରେ ତାହା ଛାଡ଼ି ମହୁଚାଷ କରୁଛନ୍ତି। ଏଥିପାଇଁ ‘ବି ବେସ ପ୍ରାଇଭେଟ ଲମିଟେଡ୍‌’ ଆରମ୍ଭ କରିଛନ୍ତି। ସେ ମହୁ ଉପତ୍ାଦନ କରିବା ସହ ମହୁମାଛିଙ୍କ ସୁରକ୍ଷା ଲାଗି ମଧ୍ୟ କାର୍ଯ୍ୟ କରୁଛନ୍ତି। ମହୁଚାଷ କିଭଳି ବ୍ୟାପକ ହୋଇପାରିବ ଓ ଶୁଦ୍ଧ ମହୁ ଉପତ୍ାଦନ ହେବ ସେହି ଲକ୍ଷ୍ୟ ନେଇ ଏହି କ୍ଷେତ୍ରକୁ ଆସିଥିବା କୁହନ୍ତି ୩୮ ବର୍ଷୀୟ ପ୍ରତୀକ। ୨୦୧୯ରେ ପ୍ରତୀକ ପ୍ରଥମେ ୩୦୦ ମହୁବାକ୍ସ କିଣି ଚାଷରେ ୧୫ ଲକ୍ଷ ଟଙ୍କା ନିବେଶ କରିଥିଲେ। ବର୍ଷକ ମଧ୍ୟରେ ସେ ୪ ଟନ୍‌ ମହୁ ବିକ୍ରି କରି ୧୫ ଲକ୍ଷ ଟଙ୍କା ରୋଜଗାର କରିସାରିଛନ୍ତି। କେବଳ ଏତିକି ନୁହେଁ ୨୦୨୧ରେ ସେ ୫୦ ଲକ୍ଷ ଟଙ୍କା ରୋଜଗାର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ୧୫ ଦିନରେ ପ୍ରତ୍ୟେକ ପର୍ଯ୍ୟାୟରେ ମହୁରୁ ୬ ଲକ୍ଷ ଟଙ୍କା ପାଉଛନ୍ତି। ପ୍ରତୀକ ପ୍ରଥମେ ମହୁଚାଷୀଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ବହୁ ତଥ୍ୟ ଓ ବ୍ୟବହାରିକ କୌଶଳ ଉପରେ ଜ୍ଞାନ ହାସଲ କରିଥିଲେ। ତାଙ୍କର ନିଜସ୍ବ ଜମି ନ ଥିଲେ ବି ଅନ୍ୟ ଚାଷୀମାନଙ୍କ ସହ ମିଶି ସେ ଏହି ଚାଷ କରୁଛନ୍ତି। ଫଳରେ ଅନେକ ଚାଷୀ ପୂୂର୍ବାପେକ୍ଷା ଅଧିକ ରୋଜଗାର କରିପାରୁଛନ୍ତି। ସେ ଅଦା, କମଳା, ତୁଳସୀ, ମଧୁରି, ସଜନା, ୟୁକାଲିପଟାସ, ଲିଚୁ, ସାର୍ଫୋନ ଆଦି ୧୧ ପ୍ରକାର ସ୍ବାଦର ମହୁ ଉପତ୍ାଦନ କରୁଛନ୍ତି। ବିଦେଶକୁ ମହୁ ରପ୍ତାନି କରିବା ପାଇଁ ପ୍ରତୀକ ଯୋଜନା କରିଛନ୍ତି।