ଏଇ ଭାରତରେ

ବର୍ଜ୍ୟର ପୁନଃ ଉପଯୋଗ କରି କୃଷି ସମସ୍ୟା ଦୂର କରିବାରେ ରାଜସ୍ଥାନର ନାରାୟଣ ଗୁଜ୍ଜର ଓ ପୁରନ ସିଂଙ୍କ ପ୍ରୟାସ ନିଶ୍ଚିତ ନିଆରା। ବୋରଜ ଗାଁର ଏହି ଦୁଇ ଯୁବକ ପରିବା ଓ ଫଳ ଚୋପାରୁ ଜୈବ ଅବଶୋଷଣକାରୀ ପଲିମର ପ୍ରସ୍ତୁତ କରୁଛନ୍ତି। ଏହି ପଲିମର ମରୁଡ଼ିପ୍ରବଣ ଅଞ୍ଚଳରେ କୃଷି କ୍ଷେତ୍ରରେ ଜଳାଭାବ ଦୂର କରୁଛି। ଏହାର ଜଳଧାରଣ କ୍ଷମତା ଅଧିକ ଥିବାରୁ କମ୍‌ ଜଳସେଚନରେ ଚାଷ କରାଯାଇ ପାରୁଛି ଓ ୩୦ରୁ ୪୦ ପ୍ରତିଶତ ଜଳ ବଞ୍ଚାଇ ହେଉଛି। ପଲିମରରେ ଅଧିକ ଜୈବିକ ଓ କମ୍‌ ରାସାୟନିକ ଗୁଣ ରହିଛି। ଏହା ପ୍ରଦୂଷଣମୁକ୍ତ ଓ ସହଜରେ ମାଟିରେ ମିଶିଯାଉଛି। ଏଣୁ ଏହି ପରିବେଶ ଉପଯୋଗୀ ପଲିମରର ନାମ ରଖାଯାଇଛି ‘ଫସଲ ଅମୃତ’। ନାରାୟଣ ଓ ପୁରନ୍‌ ୨୦୧୮ରେ ଇ.ଏଫ୍‌. ପଲିମର ଷ୍ଟାର୍ଟଅପ୍‌ ଗଠନ କରି ତା’ମଧ୍ୟରେ ଫସଲ ଅମୃତ ଉତ୍ପାଦନ କରୁଛନ୍ତି। ଏଥିପାଇଁ ଜୁସ୍‌ ଦୋକାନ, ପରିବା ହାଟ, ହୋଟେଲ, ରେସ୍ତୋରଁା ଓ ୟୁନିଭର୍ସିଟି ଫୁଡ୍‌ କାଉଣ୍ଟରରୁ ଚୋପା ସଂଗ୍ରହ କରାଯାଉଛି। ୧ ଏକର ପାଇଁ ଆବଶ୍ୟକ ପଡୁଛି ୫ କେଜି ପଲିମର। ପଲିମର ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକ ତଥ୍ୟ ଯୋଗାଉଛି ଉଦୟପୁରସ୍ଥ ମହାରଣା ପ୍ରତାପ ଏଗ୍ରିକଲ୍‌ଚର ୟୁନିଭର୍ସିଟି। ନାରାୟଣ କୃଷି ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ବେଳେ ପୁରନ୍‌ ବିଟେକ୍‌ କରିଛନ୍ତି।