ଏଇ ଭାରତରେ

ତାମିଲନାଡୁର ଦୁରାଇ ପୃଥ୍ବୀରାଜ ଦୁର୍ଗମ ଅଞ୍ଚଳର ଗରିବମାନଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ଓ ଖାଦ୍ୟ ଯୋଗାଇ ଦେଉଛନ୍ତି। ବିରୁଦ୍ଧୁନଗର ଜିଲା ଅରୁପ୍ପୁକୋଟ୍ଟାଇ ଗାଁରେ ଦୁରାଇଙ୍କ ଘର। ଏବେ ତାଙ୍କ ପାଖରେ ଦୁଇଟି ଆମ୍ବୁଲାନ୍ସ ରହିଛି। ତାଙ୍କ ଗାଁ ନିକଟରୁ ସେ ୪୦ କି.ମି. ମଧ୍ୟରେ ଏହି ସେବା ଯୋଗାଇ ଦେଉଛନ୍ତି। ୨୦୧୧ରେ ଦୁରାଇ କଲେଜରୁ ଡିଗ୍ରୀ ହାସଲ କରିବା ପରେ ଭିଲେଜ ଆଡ୍‌ମିନିଷ୍ଟ୍ରେଶନ ଅଫିସର ଭାବେ କାର୍ଯ୍ୟ କରି ଦରମାର ୫୦% ଟଙ୍କା ସଞ୍ଚୟରେ ଭ୍ୟାନ୍‌ କିଣିଥିଲେ, ଯାହା ଏବେ ଆମ୍ବୁଲାନ୍ସ ଭାବେ ବ୍ୟବହାର ହେଉଛି। ଗରିବମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ମାଗଣା ରହିଛି ଓ ଅନ୍ୟମାନେ ଯିଏ ଯାହା ଦେଲେ ତାହାକୁ ଦାନ ଆକାରରେ ଗ୍ରହଣ କରାଯାଉଛି। ଦୁରାଇ ମଧ୍ୟ ତାଙ୍କ ଘରର ଏକ ଭାଗକୁ ଆଶ୍ରୟସ୍ଥଳୀ କରିଛନ୍ତି। ଏଠାରେ ଅସହାୟ ଲୋକମାନେ ମାଗଣାରେ ଖାଇ ବିଶ୍ରାମ ନେବାର ବ୍ୟବସ୍ଥା କରାଯାଇଛି। ‘ରାଜେଶ ଉଦ୍ଧାଭୂମ କରାଙ୍ଗଲ’ ନାମକ ଏନ୍‌ଜିଓ ଦ୍ୱାରା ସମସ୍ତ ସେବାକୁ ପରିଚାଳନା କରୁଛନ୍ତି। ସାନଭାଇ ରାଜେଶ ଏକ ଦୁର୍ଘଟଣାର ଶିକାର ହେବା ପରେ ଆମ୍ବୁଲାନ୍ସ ନ ମିଳିବା ଯୋଗୁ ତାଙ୍କ ପ୍ରାଣ ଚାଲିଯାଇଥିଲା ଓ ପରେ ସାନଭାଇ ନାମରେ ଏହି ଏନ୍‌ଜିଓ ଗଢିଥିଲେ। ଏଥିତ୍ରେ ୧୫ ଜଣ ସ୍ବେଚ୍ଛାସେବୀ ରହିଛନ୍ତି। ହ୍ବାଟ୍‌ସଆପ୍‌ ଗ୍ରୁପରେ ୫୦୦ ଡୋନରଙ୍କଠାରୁ ସେ ପାଣ୍ଠି ସଂଗ୍ରହ କରି ଏହି କାର୍ଯ୍ୟରେ ବିନିଯୋଗ କରୁଛନ୍ତି। କରୋନା ରୋଗୀମାନଙ୍କୁ ହସ୍ପିଟାଲ ଆଣିବା ଲାଗି ଜିଲା କର୍ତ୍ତୃପକ୍ଷ ତାଙ୍କୁ ପିପିଇ କିଟ୍‌ ଯୋଗାଇ ଦେଉଛନ୍ତି।