ଏଇ ଭାରତରେ

ଶକ୍ତି ଅପଚୟ ରୋକିବା ଲାଗି ବହୁ ସମୟରେ ଅନେକ ଅଭିନବ ଉପାୟ ସାମ୍ନାକୁ ଆସୁଛି। ଏହି ରେସ୍‌ରେ ସାମିଲ ବ୍ୟକ୍ତିମାନଙ୍କ ମଧ୍ୟରୁ ଚେନାବ୍‌ ଭ୍ୟାଲିର ମହମ୍ମଦ ଜଓ୍ବାଦ ଖାନ୍‌ ଅନ୍ୟତମ। ସେ ପୁରୁଣା କାର୍‌ଗୁଡ଼ିକୁ ବିଦ୍ୟୁତ୍‌ଚାଳିତ (ଇଭି) କାର୍‌ କରି ତା’ ମାଧ୍ୟମରେ ଶକ୍ତି ବଞ୍ଚାଇବାର ନୂଆ ବାଟ ଦେଖାଇଛନ୍ତି। ଏଥିପାଇଁ ସେ ଆରମ୍ଭ କରିଛନ୍ତି ଷ୍ଟାର୍ଟ ଅପ୍‌ ଟ୍ୟାଡ୍‌ପୋଲ ପ୍ରୋଜେକ୍ଟ। ଏବକାର ଆଧୁନିକ କାର୍‌ଗୁଡ଼ିକୁ ବି ସେ ଇଭି କାର୍‌ କରିପାରୁଛନ୍ତି। ମହମ୍ମଦଙ୍କର ବୟସ ୨୩ । ଜମ୍ମୁର ଚେନାବ୍‌ ଭ୍ୟାଲିର ଭଦର୍‌ଓ୍ବା ସହରରେ ରହୁଛନ୍ତି। ତାଙ୍କ ପିତାଙ୍କର ଏହି ସହରରେ ଏକ ଛୋଟ ଇଲେକ୍‌ଟ୍ରିକ୍‌ ରିପେୟାରିଂ ଦୋକାନ ରହିଛି ଓ ମାତା ଜଣେ ଶିକ୍ଷୟିତ୍ରୀ। ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ କରିବା ସମୟରେ ଏହାର ପରିକଳ୍ପନା କରି ୨୦୨୦ ସେପ୍ଟେମ୍ବରରେ କାର୍ଯ୍ୟ ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟରେ ସହଯୋଗ କରୁଛି ଆଇଆଇଟି ଦିଲ୍ଲୀର ସେଣ୍ଟର୍‌ ଫର୍‌ ରିସର୍ଚ୍ଚ ଅନ୍‌ କ୍ଲିନ୍‌ ଏୟାର (ସିଇଆର୍‌ସିଏ)। ୧୯୪୮ର ଭେକ୍ସଓ୍ବାଗନ ବିଟିଲ ଏବଂ ୧୯୩୬ର ଅଷ୍ଟିନ୍‌ ୧୦ ଭଳି ଅତି ପୁରୁଣା କାରକୁ ସେ ଇଭି କାର କରିପାରିଛନ୍ତି। ଏହି କାର୍‌ଗୁଡ଼ିକ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି. ବେଗରେ ଯାଇପାରୁଛି। ଭବିଷ୍ୟତରେ ୧୨୦ରୁ ୧୩୦ କି.ମି ବେଗରେ ଯିବା ଭଳି ଇଭି କାର୍‌ କରିବାର ଯୋଜନା କରିଛନ୍ତି। ସେ ପୁରୁଣା କାର୍‌ର ୯୦% ବଡି ରଖୁଛନ୍ତି ଓ ୧୦% ନୂଆ ବଡି ଯୋଗ କରୁଛନ୍ତି। ଏବେ ସୁଦ୍ଧା ୩୦ କାରକୁ ଇଭି କରିବା ଲାଗି ସେ ଅର୍ଡର ପାଇସାରିଲେଣି।