ଏଇ ଭାରତରେ

ଜଳ ସଙ୍କଟ ଏବେ ଜଳ ସଂରକ୍ଷଣରେ ଅଭିନବ ଉପାୟ ଖୋଜିବାକୁ ବାଧ୍ୟ କରିଛି। ଏଥିପାଇଁ ସରକାର ହୁଅନ୍ତୁ ବା ବ୍ୟକ୍ତିବିଶେଷ, ପ୍ରାକୃତିକ ଜଳାଶୟର ସଂରକ୍ଷଣ ପାଇଁ ଅଣ୍ଟା ଭିଡିଛନ୍ତି। କିନ୍ତୁ ଗୁଜରାଟର ଅମିତ୍‌ ଜୋଷୀଙ୍କ ବର୍ଷା ଜଳ ସଂରକ୍ଷଣ ପଦ୍ଧତି ଏବେ ବେଶ୍‌ ଆଦୃତ ହେବାରେ ଲାଗିଛି। ସେ ଛାତ ଉପରୁ ସଂଗୃହୀତ ବର୍ଷା ଜଳକୁ ଫିଲଟର କରି ସଂରକ୍ଷିତ ରଖିବାର ଉପାୟ ଆବିଷ୍କାର କରିଛନ୍ତି। ଏଥିରେ ସେ ବର୍ଷା ଜଳକୁ ‘ନିରେନ୍‌’ ଫିଲଟର ମାଧ୍ୟମରେ ଫିଲଟର କରି ବ୍ୟବହାର ଉପଯୋଗୀ କରୁଛନ୍ତି। ଏହା ଶସ୍ତାରେ ହେଉଛି। ଏବେ ସୁଦ୍ଧା ଅମିତ୍‌ ୧୦ କୋଟି ଲିଟର ବର୍ଷା ପାଣି ବଞ୍ଚାଇ ସାରିଲେଣି। ଅମିତ ରହନ୍ତି ଗାନ୍ଧୀନଗରରେ। ବର୍ଜ୍ୟ ପରିଚାଳନାରେ ୧୭ ବର୍ଷ ଚାକିରି ପରେ ତାକୁ ଛାଡି ଏବେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି। ତାଙ୍କ ଦ୍ୱାରା ଆବିଷ୍କୃତ ‘ନିରେନ’ ଫିଲଟର ସିଷ୍ଟମରେ ଦୁଇ ପର୍ଯ୍ୟାୟରେ ଜଳ ଫିଲଟର ହେଉଛି। ଫିଲଟର ପରେ ପାଣି ପାଇପ ମାଧ୍ୟମରେ ସ୍ବତନ୍ତ୍ର କୁଣ୍ଡରେ ଗଚ୍ଛିତ ରହୁଛି। ପରେ ଏହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଉଛି। ବହୁବର୍ଷ ଗବେଷଣା ପରେ ୨୦୧୮ ସେ ଏହି ବ୍ୟବସ୍ଥାର ଆବିଷ୍କାର କରିଥିଲେ। କିନ୍ତୁ ୨୦୨୦ରେ ଏହି ଫିଲଟର ପଦ୍ଧତିରେ ବର୍ଷାଜଳ ସଂରକ୍ଷଣ ଆରମ୍ଭ କରିଥିଲେ ଓ ଏବେ ସୁଦ୍ଧା ବିଭିନ୍ନ ଅଞ୍ଚଳରେ ୧୦୦୦ ପରିବାର ଉପକୃତ ହେବା ସହ ଉତ୍ତର ଆମେରିକାରେ ୨୦୦ ପରିବାର ଏହି ପଦ୍ଧତିରେ ବର୍ଷାଜଳ ସଂଗ୍ରହ କରି ଫିଲଟର କରୁଛନ୍ତି। ତାଙ୍କ ପଦ୍ଧତିରେ ବିଦ୍ୟୁତ ଆବଶ୍ୟକ ପଡୁନି। ଇନଓ୍ବାଟର ପଦ୍ଧତିଠାରୁ ଏହା ୪୦ରୁ ୬୦% ଶସ୍ତା ହେଉଛି।